ବିଜେପୁର ବ୍ୟାଟେଲ୍: ଯୋଦ୍ଧାଙ୍କ ନାଁ ଘୋଷଣା ପରେ ବଢ଼ିଲା ରାଜନୀତି ପାରଦ, କିଏ କାହା ଉପରେ ପଡ଼ିବ ଭାରି ?

ଏବେ ନିର୍ବାଚନୀ ମୈଦାନ ବି ପ୍ରସ୍ତୁତ । ଆଉ ୩ ଦଳର ତିନି ଜଣ ସିପାହୀ ସମ୍ମର ସଜ୍ଜା କରିବାକୁ କସରତ କରୁଛନ୍ତି ।

747

କନକ ବ୍ୟୁରୋ: ବିଜେପୁର ବାଜି ପାଇଁ କାର୍ଡ ଖୋଲିଲେ ତିନି ଦଳ । ବିଜେଡିର ବିଜୟ ରାସ୍ତା ବଜାୟ ରଖିବାକୁ ରଣାଙ୍ଗନା କ୍ଷେତ୍ରରେ ରୀତା ସାହୁ । ଦିଲ୍ଲୀପ କୁମାର ପଣ୍ଡାଙ୍କ କାନ୍ଧରେ କଂଗ୍ରେସର ବିଜେପୁର କମାଣ ଥିବାବେଳେ ଆଜି ବିଜେପୁର ବିଜେପି ସିପାହୀ ସନତ ଗଡ଼ତିଆ । ଏବେ ନିର୍ବାଚନୀ ମୈଦାନ ବି ପ୍ରସ୍ତୁତ । ଆଉ ୩ ଦଳର ତିନି ଜଣ ସିପାହୀ ସମ୍ମର ସଜ୍ଜା କରିବାକୁ କସରତ କରୁଛନ୍ତି । କିଏ ମାରିବ ବିଜେପୁରରେ ବାଜି? କାହାର ହେବ ବିଜେପୁର ? ଆରମ୍ଭ ହେଲା ରାଜନନୈତିକ ଚର୍ଚ୍ଚା ।

ରାଜ୍ୟ ରାଜନୀତିରେ ବେଶ୍ କିଛି ବର୍ଷ ହେବ ଚର୍ଚ୍ଚିତ ଥିବା ବିଜେପୁର ପାଇଁ ପୁଣି ଆରମ୍ଭ ହେଲା ଗୋଟିଚାଳନା । ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ବିଜେଡି ବାଜିମାତ୍ କରିବା ପାଇଁ କସରତ କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ତେବେ ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁ ବିଜେଡିର ବିଜେପୁର ପ୍ରାର୍ଥୀ । ଯିଏ ସୁବଳ ସାହୁଙ୍କ ବିୟୋଗ ପରେ ଗତ ୨୦୧୮ ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ଆଉ କଂଗ୍ରେସ ଦୁର୍ଗ ଭେଦି ବିଜେଡି ପକେଟରେ ବିଜେପୁର ଦେଇଥିଲେ ।

ତେବେ ଗତ କିଛିମାସ ପୂର୍ବେ ହୋଇଥିବା ସାଧାରରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବିଜେପୁର ଆସନରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ । କିନ୍ତୁ ପ୍ରଥମ ଥର ପାଇଁ ଦୁଇଟି ନିର୍ବାଚନୀ କ୍ଷେତ୍ରରୁ ଲଢ଼ିଥିବା ନବୀନ ନିଜ ପାରମ୍ପାରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବାପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ତେଣୁ ଯାହାଙ୍କ ପାଇଁ ବିଜେପୁର ୨୦୧୮ ଉପନିର୍ବାଚନରେ ବିଜେଡି ବିଜୟ ହୋଇଥିଲା, ତାଙ୍କୁ ଅର୍ଥାତ୍ ରୀତାଙ୍କୁ ପୁଣି ଭରସିଲେ ନବୀନ ଆଉ ବିଜୟ ବାନା ପୁଣି ଉଡ଼ାଇବାକୁ ରୀତାଙ୍କୁ ଟିକେଟ୍ ଦେଲେ ।

ସେପଟେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ହିଁ ବିଜେପୁର ପାଇଁ ପ୍ରଥମେ କଂଗ୍ରେସ ତାର ଯୋଦ୍ଧାଙ୍କୁ ଘୋଷଣା କରିଥିଲା । ତେବେ ବରଗଡ଼ ଜିଲ୍ଲା ଉପସଭାପତି ଦାୟିତ୍ୱରେ ଥିବା ଦିଲ୍ଲୀପ ପଣ୍ଡାଙ୍କୁ ବିଜେପୁର ଦଖଲ ପାଇଁ ଦାୟିତ୍ୱ ଦେଇଥିଲା ଏଆଇସିସି । ତେବେ ବିଜେପୁର ବିଗୁଲ ବାଜିବା ପରେ ଗତ ନିର୍ବାଚନରେ ବିଜେଡି ଓ ବିଜେପିକୁ ସାମ୍ନା କରିଥିବା ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍ ଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ କଂଗ୍ରେସ କିନ୍ତୁ ଦିଲ୍ଲୀପଙ୍କ କାନ୍ଧରେ ବିଜେପୁର ଭାର ଦେଇଛି ।

ଅନ୍ୟପଟେ ବିଜେପିର ବିଜେପୁର ସିପାହୀ ସନତ ଗଡ଼ତିଆ ବୋଲି ଦିଲ୍ଲୀରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ବିଜେପୁର ପାଇଁ ବିଜେପି ପ୍ରାର୍ଥୀ କିଏ ହେବ ସେନେଇ ଗେରୁଆ କ୍ୟାମ୍ପରେ କମ୍ପନ ଉଠିଥିବାବେଳେ ଶେଷରେ ବିଜେଡି, କଂଗ୍ରେସକୁ ସାମ୍ନା କରିବାକୁ ସନତଙ୍କୁ ସିପାହୀ ଭାବେ ବାଛିଛି ବିଜେପି । ତେବେ ପୁରୁଣା ସିପାହୀ ସନତଙ୍କ ଉପରେ ପୁଣି ଥରେ ଭରସା କରିଛି ଦଳ, କାରଣ ଗତ ସାଧାରଣ ନିର୍ବାଚନରେ ବିଜେପି ତରଫରୁ ଟିକେଟ୍ ପାଇ ବିଜେଡି ସୁପ୍ରିମୋଙ୍କୁ ସାମ୍ନା କରିଥିଲେ ସନତ । ଆଉ ପାଖାପାଖି ୫୦ ହଜାରରୁ ଉଦ୍ଧ୍ୱର୍ ଭୋଟ୍ ହାତେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ସନତ ଗଡ଼ତିଆ । ତେବେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ବଦଳିଥିବାବେଳେ ବିଜେପି କିନ୍ତୁ ପୁଣି ସନତଙ୍କୁ ରିପିଟ୍ କରିଛି ।

ଆସନ୍ତାକାଲି ପ୍ରାର୍ଥୀପତ୍ର ନାମାଙ୍କନ ପାଇଁ ଶେଷ ତାରିଖ ହୋଇଥିବାବେଳେ ତିନି ଦଳର ତିନି ସିପାହୀଙ୍କୁ ବିଜେପୁର ବାଜି ପାଇଁ ଦଳ ପ୍ରସ୍ତୁତ କରିଥିବାବେଳେ ଏବେ ନଜର କାହା ଦଖଲକୁ ଯିବ ବିଜେପୁର? କ’ଣ ଗତ ୨୦୧୮ ଉପ-ନିର୍ବାଚନର ରିପିଟ୍ ଦେଖିବେ କି ରାଜ୍ୟବାସୀ? ନା ସନତଙ୍କୁ ପୁଣି ଭରସା କରି ବିଜେପି ବାଜିମାତ୍ କରିବ? ନା ଗତ ନିର୍ବାଚନରେ ଦୁର୍ବଳ ହୋଇପଡ଼ିଥିବା ‘ହାତ’ ପୁଣି ବଳ ଗୋଟାଇ କଂଗ୍ରେସ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କରିବ? ଏଭଳି ସବୁ ପ୍ରଶ୍ନ ଏବେ ରାଜଧାନୀରୁ ବିଜେପୁର ଚା’ଖଟିରେ ଚର୍ଚ୍ଚା ହେଉଛି ।

Comments are closed.