ବିଜେପୁର ମଞ୍ଚରେ ବୁଝା-ଅବୁଝା ନାଟକ: ମାନିଗଲେ ରିପୁନାଥ, ଏବେବି ଅମାନିଆ ଅଶୋକ

507

କନକ ବ୍ୟୁରୋ: ଉପନିର୍ବାଚନ ପୂର୍ବରୁ ଅବୁଝା ରିପୁନାଥଙ୍କୁ ବୁଝାଇଛି କଂଗ୍ରେସ । ବିଜେପୁରରେ ଦଳ ବିରୋଧରେ ବିଦ୍ରୋହ କରିବାକୁ ଅଣ୍ଟା ଭିଡିଥିବା ବରିଷ୍ଠ ନେତା ରିପୁନାଥ ସେଠଙ୍କୁ ବୁଝାଇବାରେ ସକ୍ଷମ ହୋଇଛି କଂଗ୍ରେସ । ଆଉ ବୁଝିଯିବା ପରେ ସବୁ ମାନ ଅଭିମାନ ଭୁଲି କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ସହମତି ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ରିପୁନାଥ ସେଠ ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ମାତ୍ର ୧୪ ହଜାର ଭୋଟ୍ ପାଇଥିବା ରିପୁନାଥ, ଚଳିତ ଉପନିର୍ବାଚନରେ ମଧ୍ୟ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ । ହେଲେ ଦଳ, ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ପରେ ଅଭିମାନ କରିଥିଲେ ରିପୁନାଥ ।

ସେପଟେ ବିଜେପୁରକୁ ନେଇ ଅଭିମାନ କରିଥିବା ବିଜେପିର ଅଶୋକ ପାଣିଗ୍ରାହୀ ଏବେବି ଅସନ୍ତୁଷ୍ଟ ଅଛନ୍ତି । ଦଳ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରେ ଅଶୋକ, ବିଜେପି ଉପରେ ବର୍ଷିଛନ୍ତି । ଦୁଇ ଦିନ ତଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳ ଅଣଦେଖା କରୁଥିବା କହିଥିଲେ । ତେବେ ୨୦୧୮ ଉପନିର୍ବାଚନରେ ୫୯ ହଜାର ଭୋଟ୍ ପାଇଥିବା ଅଶୋକଙ୍କ ଏଭଳି ଅଭିଯୋଗ ପରେ ବିଜେପୁରରେ ବିଜେପି ବିରୋଧରେ ଅଶୋକ ବଡ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ବିଜେପୁର ନେଇ ଅଭିମାନ କରିଥିବା ରିପୁନାଥ ମାନିଯିବା ପରେ ଏବେ ବିଜେପିର ଅଶୋକଙ୍କ ଉପରେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଆଖି ରହିଛି ଯେ ଆଗକୁ କି ପଦକ୍ଷେପ ନେଉଛନ୍ତି ଅଶୋକ ।