ଛାତ ଉପରେ ଫଳୁଛି ସୁନା ! ନିଜ ଛାତ ଉପରେ ପନିପରିବା ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର ବିଜୟଲକ୍ଷ୍ମୀ

1,015

କନକ ବ୍ୟୁରୋ: ଛାତରେ ଫଳିଛି ପନିପରିବା । ଘରର ଛାତ ଉପରେ ହେଉଛି ପରିବା ଚାଷ । ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ଛାତ ଉପରୁ ହିଁ ମିଳିଯାଉଛି । ଯାହା ଫଳରେ ବଜାର ଉପରେ ଭରସା ନକରି ଦୀର୍ଘ ୨ରୁ ୩ ବର୍ଷ ହେବ ନିଜ ଆବଶ୍ୟକତା ମେଣ୍ଟାଉଛନ୍ତି ବାଲେଶ୍ୱର ବିଜୟଲକ୍ଷ୍ମୀ ।

ସହରରେ ଦିନକୁ ଦିନ ଛତୁ ଫୁଟିଲା ପରି କୋଠାଘର ତୋଳା ହେଉଛି । ଆଜି ଯେଉଁଠି ଖାଲି ଜାଗାଟିକେ ଦେଖିଥିବେ କାଲି ସେଠି ବିଲ୍ଡିଂ ଛିଡା ହୋଇଥିବ । ତେଣୁ କଂକ୍ରିଟ ସହରରେ ମାଟି ଟିକେ ମିଳିବା କଷ୍ଟ । ଆଉ ମାଟି ମିଳୁନଥିବାରୁ ପରିବା ଚାଷ ତ ଦୂରର କଥା ଫୁଲ ଗଛଟିଏ ଲଗାଇବା ଅସମ୍ଭବ । ମାତ୍ର ବାଲେଶ୍ୱର ସହରର ମହିଳା ବିଜୟଲକ୍ଷ୍ମୀ ସେନାପତି ନିଜ ଜେଲରୋଡ ସ୍ଥିତ ଘର ଛାତରେ ଏମିତ ଏକ ପରିବା ବାଡି କରିଛନ୍ତି ଯେଉଁଠି ସବୁ ପ୍ରକାରର ପନିପରିବା ମିଳୁଛି ।

ବଜାରରେ ହୁ ହୁ ହୋଇ ପରିବାର ଦର ବଢୁଥିବାରୁ ଆଉ ରସାୟନିକ ସାର ବିଷ ପ୍ରୟୋଗ କରି ଚାଷ କରାଯାଉଥିବାରୁ ସେ ନିଜ ଛାତରେ ବିନା ସାର ବ୍ୟବହାର କରି କେବଳ ଖତ ଦେଇ ପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ତାପର ଠାରୁ ୨ରୁ ୩ ବର୍ଷ ହେବ ସେ ନିଜ ଛାତରେ ହିଁ ପରିବା ଚାଷ କରୁଛନ୍ତି ।

ବାଇଗଣ, ଭେଣ୍ଡି, ଲଙ୍କା, ପୋଇ, ସାଗ ଆଦି ପରିବା ସେ ନିଜ ଛାତରୁ ପାଇ ଯାଉଥିବାରୁ ବଜାର ଉପରେ ଭରସା କରନ୍ତିନି ବିଜୟଲକ୍ଷ୍ମୀ । ତେବେ ସହର ଭିତରେ ଏକ ଛାତ ଉପରେ ଏଭଳି ପରିବା ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।