ଗଜପତିଙ୍କୁ ଟାର୍ଗେଟ କଲେ ବିଜୟ । କହିଲେ, ଶସ୍ତା ବିବୃତି ଦେଇ ଖସି ପାରିବେନି ଗଜପତି

108

କନକ ବ୍ୟୁରୋ : ଶ୍ରୀମନ୍ଦିର ନୀତି ବିଭ୍ରାଟ ନେଇ ଆଜି ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତିଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ୍ ନୁହେଁ । ସେପଟେ ଘଟଣାରେ ପ୍ରତିକ୍ରିୟା ରଖିବା ସହ ମନ୍ଦିର ପରିଚାଳନାରେ ନିଜର ଅସହାୟତା ପ୍ରକାଶ କରିଛନ୍ତି ଗଜପତି ମହାରାଜ । ଏହାରି ଭିତରେ ଶ୍ରୀମନ୍ଦିର ପରିଚାଳନା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ନୀତି ସେବାରେ କୌଣସି ବ୍ୟାଘାତକୁ ବରଦାସ୍ତ କରାଯିବନି ।

ପୁରୀ ଶ୍ରୀମନ୍ଦିରରେ ବିଭ୍ରାଟକୁ ନେଇ ବାରମ୍ବାର କଡା ଆଭିମୁଖ୍ୟ ଦେଖାଇ ଆସିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପିରେ ଥାଇ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନିଜ ଦଳର ପୂର୍ବତନ ଆଇନ ମନ୍ତ୍ରୀଙ୍କୁ ଛାଡିନଥିଲେ । ଆଉ ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ବି ଟାର୍ଗେଟ କରିଛନ୍ତି ବିଜୟ । ଗଜପତି ମହାରାଜ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହୋଇଥିବାରୁ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ୍ ନୁହେଁ ବୋଲି ସେ କଡା ଟିପ୍ପଣୀ କରିଛନ୍ତି ।

ପୋଲିସ-ସେବାୟତ ଗଣ୍ଡଗୋଳରୁ ଶ୍ରୀମନ୍ଦିର ଇତିହାସରେ ପ୍ରଥମଥର, ଗତ ଶୁକ୍ରବାର ଶ୍ରୀଜୀଉଙ୍କ ନୀତି ୧୩ ଘଂଟା ବିଳମ୍ବିତ ହୋଇଥିଲା । ବଡ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନେ ଆତୁର ହୋଇ ବାହାରେ ଚାହିଁରହିଥିଲେ । ଆଉ ଭିତରେ ଠାକୁର ଉପାସରେ ରହିଲେ । ଏଭଳି ସାଂଘାତିକ ଘଟଣାରେ ଠାକୁର ରାଜାଙ୍କ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ଯାହାକୁ ନେଇ ଗଜପତି ମହାରାଜଙ୍କ କାର୍ଯ୍ୟାଳୟରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ଦିର ପରିଚାଳନାରେ ନିଜର ଅସହାୟତା ପ୍ରକାଶ କରିଛନ୍ତି ଗଜପତି ମହାରାତ ।

ଗଜପତି ମହାରାଜଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ କମିଟି ବୈଠକରେ ଅଧ୍ୟକ୍ଷତା କରିବା । ଏହାଛଡା ଶ୍ରୀମନ୍ଦିର ପରିଚାଳନା ନେଇ ତାଙ୍କର କିଛି ଅଧିକାର ନାହିଁ । ଆଦ୍ୟ ସେବକ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ । ୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁହେବା ପରେ ଗଜପତିଙ୍କଠାରୁ ମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି । ତେଣୁ ସେବେଠାରୁ ଶ୍ରୀମନ୍ଦିରର ପ୍ରଶାସନିକ ଦାୟିତ୍ୱ ଗଜପତି ନୁହଁନ୍ତି ରାଜ୍ୟ ସରକାର ହିଁ ବହନ କରିଆସିଛନ୍ତି ।’

ପୂର୍ବରୁ ମଧ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ମତ ରଖିଥିଲେ ଗଜପତି ମହାରାଜ । ଏବେ ଗଜପତିଙ୍କ ସମର୍ଥନରେ ବାହାରି ଆସିଛି ବିଜେପି । ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ସରକାରଙ୍କୁ ଦାୟୀ କରି, ଗଜପତିଙ୍କଲ ବିବୃତିକୁ ସମାଲୋଚନା ଠିକ ନୁହେଁ ବୋଲି ଦଳ କହିଛି । କଂଗ୍ରେସ ମଧ୍ୟ ପୁରା ଘଟଣାରେ ସରକାରଙ୍କୁ ସମାଲୋଚନା କରିଛି । ଏପଟେ ଆଇନ ମନ୍ତ୍ରୀ କହିଛନ୍ତି ମହାପ୍ରଭୁଙ୍କ ନୀତି ସେବାରେ କୌଣସି ବ୍ୟାଘାତକୁ ବରଦାସ୍ତ କରାଯିବନି ।

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ରୋକିବାକୁ ମାମଲା ସୁପ୍ରିମକୋର୍ଟରେ ପହଂଚିଛି । ବ୍ୟାପକ ସଂସ୍କାର ପାଇଁ ସରକାର ଓ ପ୍ରଶାସନକୁ ନିର୍ଦ୍ଦେଶ ଦେବାସହ କୋର୍ଟଙ୍କ ତତ୍ୱାବଧାନରେ ଆମିକସ କ୍ୟୁରି ମଧ୍ୟ ନିଯୁକ୍ତ ହୋଇଥିଲେ । ହେଲେ କେବେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଓ ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଉପରେ ଅଙ୍କୁଶ ଲାଗିବ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ହୋଇ ରହିଛି । ଆଉ ଏଥିରେ ଗଜପତି ମହାରାଜଙ୍କ ଭୂମିକା କଣ ରହିବ ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି ।