ଟିକା ପାଇଁ ପଞ୍ଜିକରଣ ଦ୍ୱନ୍ଦ୍ୱ ଦୂର କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । କହିଲେ, କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ଦେଇ କରିପାରିବେ ପଞ୍ଜିକରଣ ।

ଟିକା ଦାନ କେନ୍ଦ୍ରରେ ମଧ୍ୟ ହେବ ଅନସ୍ପଟ ରେଜିଷ୍ଟ୍ରେସନ ।

107

କନକ ବ୍ୟୁରୋ: କାଲିଠୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ । ଏହାସହିତ ୨୦ ପ୍ରକାର ରୋଗକୁ ଗାଇଡଲାଇନ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି କୋ-ୱିନ୍ ଆପ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ । ତାପରେ ବିଭିନ୍ନ ପ୍ରକ୍ରିୟା ଶେଷ ହେବା ପରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ ସେନେଇ ସୂଚନା ଦିଆଯିବ ।

ତେବେ ଯେଉଁମାନେ ପଞ୍ଜିକରଣ କରିପାରିବେ ନାହିଁ, ସେମାନେ ପ୍ରମାଣପତ୍ର ଦେଖାଇ ଟିକାକରଣ କେନ୍ଦ୍ରରେ ସିଧାସଳଖ ନାମ ପଞ୍ଜିକରଣ କରିପାରିବେ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ସରକାରୀ ହସ୍ପିଟାଲରେ ମାଗଣା ଟିକା ନେଇପାରିବେ । କିନ୍ତୁ ଘରୋଇ ହସ୍ପିଟାଲରେ ଅଢ଼େଇ ଶହ ଟଙ୍କା ଦେବାକୁ ପଡିବ । ଏଥିପାଇଁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।