ବିଜେପିକୁ ନେଇ ବିଜୟଙ୍କ ବଡ ବୟାନ! କହିଲେ, ସକାଳେ ସମର୍ଥନ ମାଗୁଛ, ସନ୍ଧ୍ୟାରେ ଗର୍ଜନ କରୁଛ ।

32

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗକୁ ନେଇ ରାଜନୀତି ଧମିବାର ନାଁ ନେଉନି । ପ୍ରତିଦିନ ଆସୁଛି ନୂଆ ନୂଆ ବୟାନ୍ । ଆଉ ଆଜି ଖୋଦ୍ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦେଇଛନ୍ତି ବଡ ବୟାନ୍ । କହିଛନ୍ତି- ଗୋଟିଏ ପଟେ ପ୍ରେସମିଟ୍ କରି ବିଜେଡି ବିରୋଧରେ ବିଶୋଦଗାର କରୁଛି ଦଳ, ଅନ୍ୟପଟେ ବିଜେପିର ସମର୍ଥନ ଲୋଡୁଛି । ଏହା ଲୋକଙ୍କ ବିଶ୍ୱାସ ହରାଇବ । ଏହି ବୟାନର ଜବାବ୍ରେ ସମୀର ମହାନ୍ତି ପାଲଟା ଆକ୍ରମଣ କରି କହିଛନ୍ତି-ବିଜେଡି ସହ ରହିଛି ବିଜୟଙ୍କ ସମ୍ପର୍କ । ଏସବୁ ଭିତରେ ପିସିସି ସଭାପତି ନିରଞ୍ଜନ ପଟ୍ଟାନୟକ, କଂଗ୍ରେସରେ ଯୋଗ ଦେବାକୁ ଦେଇଛନ୍ତି ନିମନ୍ତ୍ରଣ ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗକୁ ଗ୍ରହଣ କରିପାରିନାହାନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ବିଜେଡିକୁ ସମର୍ଥନ ମାଗି ବିଜେପି ନିଜର କ୍ଷତି କରିଛି । ଗୋଟିଏ ପଟେ ସମର୍ଥନ ମାଗୁଛନ୍ତି ଅନ୍ୟପଟେ ପ୍ରେସମିଟ କରି ଗର୍ଜୁଛନ୍ତି । ଏମିତି ହେଲେ ଲୋକେ ବିଜେପିକୁ ବିଶ୍ୱାସ କରିବେନି । ଉଭୟ ଦଳ ସ୍ପଷ୍ଟୀକରଣ ନଦେଲେ ଲୋକେ ଦ୍ୱନ୍ଦ୍ୱରେ ରହିବେ ବୋଲି ମତ ଦେଇଛନ୍ତି ବିଜୟ । ତେବେ ବିଜୟଙ୍କ ଲପରି ଅଭିଯୋଗର ଜବାବ ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ବିଜେଡି ନେତାଙ୍କ ସହ ବିଜୟଙ୍କ ସଂପର୍କ ବଢୁଛି ବୋଲି କଟାକ୍ଷ କରିଛନ୍ତି ସମୀର ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରେ ବିଜେଡି-ବିଜେପିର ସଂପର୍କକୁ ନେଇ ଚର୍ଚ୍ଚା ତେଜୁଥିବା ବେଳେ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି । ସେ କହିଛନ୍ତି ବିଜେଡି-ବିଜେପି ଏକକାର ହୋଇ ଯାଇଛନ୍ତି, ଏଠି ବିରୋଧୀ ଦଳର ଭୂମିକାରେ ରହିଛି କେବଳ କଂଗ୍ରେସ । ଯେଉଁ ନେତାମାନେ ରାଜ୍ୟର ବିକାଶ ଚାହୁଁଛନ୍ତି କଂଗ୍ରେସରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି ନିରଂଜନ । ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଆକ୍ଷେପ ପ୍ରତି-ଆକ୍ଷେପ ବଢିବାରେ ଲାଗିଛି । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଏନଡିଏ ପ୍ରାର୍ଥୀକୁ ବିଜେଡି ସମର୍ଥନ କରିବା ପରେ ଯେତିକି ଦ୍ୱନ୍ଦ୍ୱ କର୍ମୀଙ୍କ ମହଲରେ ରହିଛି, ସେତିକି ଦ୍ୱନ୍ଦ୍ୱ ରହିଛି ନେତାଙ୍କ ଭିତରେ ।