ଲାଲୁଙ୍କ ଘରେ ହାଇଭୋଲଟେଜ୍ ଡ୍ରାମା : ବୋହୁ ଏଶ୍ୱର୍ଯ୍ୟାଙ୍କ ଅଭିଯୋଗ, ଚୁଟି ଭିଡ଼ି ମାଡ଼ ମାରିବା ସହ ଘରୁ ବାହାର କରିଦେଇଛନ୍ତି ଶାଶୁ ରାବିଡ଼ି ଦେବୀ

1,122

କନକ ବ୍ୟୁରୋ : ଆରଜେଡ଼ି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଘରୋଇ କଳିର ଅନ୍ତ ଘଟୁନି । ଗତକାଲି ପାଟନାରେ ଥିବା ରାବଡି ଦେବୀଙ୍କ ଘରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଆଉ ତା’ପରେ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ୍ ପ୍ରତାପ୍ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ନିଜ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ଥାନାରେ ଏଫଆଇଆର୍ ଦେଇଛନ୍ତି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶାଶୁ ରାବ୍ଡ଼ି ଦେବୀ ଚୁଟି ଭିଡ଼ି ମାଡ଼ ମାରିବା ସହ ବଳପୂର୍ବକ ଘରୁ ବାହାର କରିଦେଇଛନ୍ତି ବୋଲି ବୋହୂ ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି ।  ଶାଶୂଘର ଲୋକେ ଦୁର୍ବ୍ୟବହାର କରୁଛନ୍ତି ବୋଲି ଗତ ଅଳ୍ପ କେଇ ମାସ ମଧ୍ୟରେ ଏହା ହେଉଛି ଐଶ୍ୱର୍ଯ୍ୟାଙ୍କ ଦ୍ୱିତୀୟ ଅଭିଯୋଗ । ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି, ରାବ୍ଡ଼ି ଦେବୀ ମୋ କେଶ ଟାଣି ମାଡ଼ ଦେଇଛନ୍ତି । ୧୦ ସର୍କ୍ୟୁଲାର୍ ରୋଡ଼୍ ସ୍ଥିତ ଘରେ ମୁତୟନ ହୋଇଥିବା ଅଙ୍ଗରକ୍ଷୀମାନଙ୍କୁ ଲଗାଇ ମୋତେ ବଳପୂର୍ବକ ଘରୁ ବାହାର କରି ଦିଆଯାଇଛି ।

ରାବ୍ଡ଼ି ଦେବୀଙ୍କ ନାଁରେ ସଚିବାଳୟ ଥାନାରେ ଏଫ୍ଆଇର୍ ଦିଆଯାଇଛି । ଏସପିଙ୍କୁ ଡକାଇ ଐଶ୍ୱର୍ଯ୍ୟା ପରିସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଥିଲେ  । ଆଉ ତା’ପରେ ଐଶ୍ୱର୍ଯ୍ୟାଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ତେବେ ପୋଲିସ୍ ସୂତ୍ରରୁ ଜଣାପଡ଼ିଛି, ଐଶ୍ୱର୍ଯ୍ୟାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି ।

ଏହା ଜାଣିବା ପରେ ଐଶ୍ୱର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ରାବଡିଙ୍କ ଘରେ ପହଞ୍ଚିଥିଲେ ସତ ହେଲେ କୌଣସି ସମସ୍ୟାର ସମାଧାନ ହୋଇ ନ ଥିଲା । ତେବେ ଘଟଣାର ତଦନ୍ତ ଲାଗି ସଚିବାଳୟ ଥାନାର ପୁଲିସ ଟିମ୍ ମଧ୍ୟ ୧୦, ସର୍କ୍ୟୁଲାର୍ ରୋଡ୍ ବାସଭବନକୁ ଯାଇଥିଲେ ।