ଯେତେବେଳେ ସେ କିଛି ବି ନଥିଲେ, ସେତେବେଳେ ମୁଁ ଆଇଏଏସ୍ ଥିଲି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଲେ ଆରସିପି ସିଂହ । ପଢନ୍ତୁ, କଣ କହିଲେ…

378

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂୂୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ଭିତରେ କଥା କଟାକଟି ଜାରି ରହିଛି । ଆଉ ଏହାରି ଭିତରେ ଆରସିପି ସିଂହ ନୀତିଶଙ୍କ ଉପରେ ବର୍ଷିବା ସହିତ ତାଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଆରସିପି କହିଛନ୍ତି ଯେ, ଯେତେବେଳେ ବିହାରରେ ନୀତିଶଙ୍କ ଔକାତ୍ କିଛି ନଥିଲା, ସେତେବେଳେ ତାଙ୍କ ଔକାତ୍ ଢେର ଗୁଣ ଅଧିକ ଥିଲା ଆଉ ଏବେ ମଧ୍ୟ ରହିଛି ।

ନୀତିଶ କୁମାର ଯେତେବେଳେ କିଛି ନଥିଲେ, ଟିକେଟ୍ ପାଇଁ ବିହାରରେ ବୁଲୁଥିଲେ, ସେତେବେଳେ ୧୯୮୨ ମସିହାରେ ମୁଁ ଆଇଏଏସ ହେଇସାରିଥିଲି । ସେ ମୋର କଣ ପରିଚୟ ଦେବେ? ସେ ନିଜେ ଯେତେବେଳେ ନୌସେନାର ପରୀକ୍ଷାରେ ଫେଲ୍ ହେଇଯାଇଥିଲେ, ସେତେବେଳେ ମୁଁ ଆଇଏଏସ୍ ପରୀକ୍ଷାରେ ପୂରା ଭାରତରେ ୧୩ ନମ୍ବର ରାଙ୍କ୍ ପାଇଥିଲି ବୋଲି ନୀତିଶଙ୍କୁ ଟାର୍ଗେଟ୍ କରି କହିଛନ୍ତି ଆରସିପି ସିଂହ ।

ତେବେ ଏହି ପୂର୍ବତନ ଜେଡିୟୁ ନେତା କହିଛନ୍ତି ଯେ, କେହି କାହାକୁ ପରିଚୟ ଦିଅନ୍ତି ନାହିଁ । ଗଣତନ୍ତ୍ରରେ ସମସ୍ତ ନାଗରିକ ସମାନ । ତେବେ ସେ ବିଜେପିରେ ସାମିଲ ହେବା କଥାରେ ଉତ୍ତର ରଖି କହିଥିଲେ ଯେ, ତାଙ୍କ ପାଇଁ ସବୁ ଦ୍ୱାର ଖୋଲା ରହିଛି । ସେ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହିତ କଥାବାର୍ତ୍ତା ଜାରି ରଖିଛନ୍ତି । ଆଗାମୀ ଦିନରେ କଣ ହେବ ସେନେଇ ସେ ନିଜେ ବି ଜାଣିନାହାଁନ୍ତି ବୋଲି କହିଛନ୍ତି ।

କିଛି ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆରସିପି ସିଂହଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ଏହାପରେ ହଠାତ୍ ରାଗିଯାଇଥିଲେ ବିହାର ମୁଖ୍ୟମନ୍ତ୍ରୀ । ଆଉ କହିଥିଲେ, ଆରସିପି ସିଂହଙ୍କୁ ସେ ରାଜନୀତି ଶିଖାଇଥିଲେ । ପାର୍ଟିରେ ପଦ ମଧ୍ୟ ଦେଇଥିଲେ । ହେଲେ ସେ ବିଜେପି ସାଙ୍ଗରେ ମିଶି ଷଡଯନ୍ତ୍ର କରୁଥିଲେ । ଆଉ ଏହାପରେ ଆଜି ନୀତିଶଙ୍କ ଉପରେ ବର୍ଷିଛନ୍ତି ଆରସିପି ସିଂହ ।