୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ। ପଢନ୍ତୁ ନୀତିଶଙ୍କ ରାଜନୈତିକ ଯାତ୍ରାର ଏହି କାହାଣୀ …

283

କନକ ବ୍ୟୁରୋ: ମହାରାଷ୍ଟ୍ର ପରେ ବର୍ତ୍ତମାନ ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିସାରିଥିବା ବେଳେ ନୂଆ ସରକାର ଗଠନ ହେବାକୁ ଯାଉଛି । ତେବେ ଚଳିତ ଥର କାହାଣୀ ଟିକେ ଭିନ୍ନ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦ ବଞ୍ଚାଇବାରେ ସଫଳ ରହିଥିବା ବେଳେ ତାଙ୍କ ସହଯୋଗୀ ଦଳ ପରିବର୍ତ୍ତନ ହୋଇଯିବ । ଜେଡିୟୁ ମହାମେଣ୍ଟ ସହ ମିଶି ସରକାର ଗଠନ କରିବ । ଆରଜେଡି ସହ ଜେଡିୟୁ ଏବଂ ମଳିତ ମହାମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ତେବେ ୨୦୧୫ରେ ମଧ୍ୟ ନୀତିଶ ମହାମେଣ୍ଟ ସହ ଥରେ ସରକାର ଗଠନ କରିସାରିଛନ୍ତି । ପ୍ରଥମ ଥର ଶପଥ ନେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ନୀତିଶ ୨୨ ବର୍ଷ ୫ ମାସ ୬ ଦିନରେ ୭ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇସାରିଛନ୍ତି ।

ତେବେ ରାଜନୈତିକ ସଙ୍କଟ ମଧ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି । ଏହା ହେଲେ ସେ ଗତ ୨୨ ବର୍ଷ ଭିତରେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ୨୦୦୦ ମସିହା ମାର୍ତ୍ତ ୩ରେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ସେତେବେଳେ ସଂଖ୍ୟା ନଥିବାରୁ ମାତ୍ର ୭ ଦିନ ପରେ ଅର୍ଥାତ ମାର୍ତ୍ତ ୧୦ ତାରିଖରେ ସେ ଇସ୍ତଫା ଦେଇଥିଲେ । ସେତେବେଳେ ସେ ଏନଡିଏ ନେତୃତ୍ୱାଧୀନ ସରକାରରେ ଥିଲେ । ଏହା ପରେ ରାବିଡି ଦେବୀ ମୁଖ୍ୟମନ୍ତ୍ରୀ ଭାବେ ପୂରା କାର୍ଯ୍ୟକାଳ ସମ୍ଭାଳିଥିଲେ ।

ତେବେ ପୁଣି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ । ୫ ବର୍ଷ ପରେ ୨୦୦୫ ନଭେମ୍ବର ମାସରେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପ୍ରଥମ ଥର ସେ ପୂରା ୫ ବର୍ଷର କାର୍ଯ୍ୟକାଳ ସମ୍ଭାଳିଥିଲେ । ଏହା ପରେ ୨୦୧୦ ନଭେମ୍ବରରେ ସେ ପୁଣି ନିର୍ବାଚନରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏନଡିଏରେ ସେ ରହି ସରକାର ଗଠନ କରିଥିଲେ । ତେବେ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୩ରେ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ପ୍ରଚାର ସମିତିର ଅଧ୍ୟକ୍ଷ କରାଯିବା ପରେ ନାରାଜ ହୋଇ ଏନଡିଏରୁ ଓହରି ଯାଇଥିଲେ ।

ପରେ ୨୦୧୪ ମେ ୧୭ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜିତନରାମ ମାଞ୍ଝିଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ । ତେବେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଏହି ସ୍ଥିତିରେ ଜିତନରାମ ମାତ୍ର ୨୭୮ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିପାରିଥିଲେ । ନୀତିଶ ପୁଣି ଥରେ ୨୦୧୫ ଫେବ୍ରୁଆରୀ ୨୨ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୯ ମାସ ପାଇଁ ସେ ପୁଣି ଏହି ପଦରେ ରହିଥିଲେ । ୨୦୧୫ ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଏଥିରେ ନୀତିଶ ଏବଂ ଲାଲୁ ଯାଦବ ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ । ଏହି ବିଜୟ ସହ ସେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ସେତେବେଳେ ଲାଲୁଙ୍କ ଦୁଇ ପୁଅ ତେଜସ୍ୱୀ ଏବଂ ତେଜପ୍ରତାପଙ୍କ ସହ ନୀତିଶ ସରକାର ଚଳାଉଥିଲେ । ଦୁର୍ନୀତି ଅଭିଯୋଗରେ ସେତେବେଳର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଇସ୍ତଫା ଦାବି ବଢିବା ପରେ ନିଜେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମେଣ୍ଟ ଭାଙ୍ଗିଥିବା ଘୋଷଣା କରିଥିଲେ । ୨୦୧୭ ଜୁଲାଇ ୧୭ରେ ଜେଡିୟୁ ଓ ଆରଜେଡି ମେଣ୍ଟ ଭାଙ୍ଗିଥିଲା ।

ତେବେ ମାତ୍ର କିଛି ସମୟର ଅନ୍ତରାଳ ପରେ ଏନଡିଏ ସହ ମିଶି ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ୨୦୧୭ ଜୁଲାଇ ୨୭ ତାରିଖରେ ନୀତିଶ ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ପରେ କରୋନା ସଙ୍କଟ ମଧ୍ୟରେ ୨୦୨୦ ନଭେମ୍ବର ମାସରେ ବିହାରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜେଡିୟୁ ନେତୃତ୍ୱାଧୀନ ଏନଡିଏ ପୁଣି ସରକାର ଗଠନ କରିଥିଲା । ନୀତିଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୪୩ ସିଟରେ ବିଜୟୀ ହେବା ପରେ ବି ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା ।

ପୁଣି ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ପୁଣି ସେ ଇସ୍ତଫା ଦେଇ ସରକାର ଗଠନ କରିବାକୁ ଯାଉଛନ୍ତି । ୨୨ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଭାବେ ସେ ଅଷ୍ଟମ ଥର ଶପଥ ନେବେ ।