ଆଜି କେବଳ ନୀତିଶ ଓ ତେଜସ୍ୱୀ ନେବେ ଶପଥ, କ୍ୟାବିନେଟ ସଂପ୍ରସାରଣ ନେଇ ଅଡୁଆ କରୁଛନ୍ତି ମାଞ୍ଝୀ

264

କନକ ବ୍ୟୁରୋ : ଏକ ନାଟକୀୟ ଢଙ୍ଗରେ ଗତକାଲି ବିହାର ସରକାର ଭାଙ୍ଗି ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ବିଜେପି ମେଣ୍ଟରୁ ବାହାରି ଆସି ମହାଗଠବନ୍ଧନରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ଜେଡିୟୁ ମୁଖ୍ୟ ନୀତିଶ କୁମାର । ଦିନ ୨ ଟା ରେ ଶପଥ ଗ୍ରହଣ ନେଇ ରାଜଭବନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ହେଲେ ସଦ୍ୟ ସୂଚନା ମୁତାବକ ଆଜି କେବଳ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଆରଜେଡି ନେତା ତେଜସ୍ୱୀ ଯାଦବ ଶପଥ ନେବାକୁ ଯାଉଛନ୍ତି  ।

ସେପଟେ ୪ ଜଣ ବିଧାୟକଙ୍କ ସମର୍ଥନ ଦେଇଥିବା ହିନ୍ଦୁସ୍ଥାନର ଆୱାମ ମୋର୍ଚ୍ଚାର ନେତା ଜୀତିନରାମ ମାଞ୍ଝୀ ସମର୍ଥନ ବଦଳରେ ୨ ଟି ମନ୍ତ୍ରୀପଦ ମାଗୁଥିବାରୁ ଅଡୁଆ ଶ୍ରୁଷ୍ଠି ହୋଇଛି । କାରଣ କଂଗ୍ରେସ ପାଖରେ ୧୯ ଜଣ ବିଧାୟକ ଥିବା ବେଳେ ସେ କେବଳ ୩ ଟି ମନ୍ତ୍ରୀପଦ ମାଗିଛନ୍ତି । ଏହାସହ ୧୬ ଜଣ ବିଧାୟକ ସହ ସରକାରକୁ ସମର୍ଥନ ଦେଉଥିବା ବାମଦଳକୁ କେତୋଟି ମନ୍ତ୍ରୀପଦ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟପଟେ ଆଜି ଅୟୋଜିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଯୋଗ ଦେଉ ନାହାଁନ୍ତି । ସେ ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ଦିଲ୍ଲୀରେ ଥିବାରୁ ଏହି ସମାରୋହରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।

କହିରଖୁ କି ଶପଥ ଗ୍ରହଣ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ତାଙ୍କ ବଡ ଭାଇ ତେଜପ୍ରତାପ ଯାଦବଙ୍କୁ ଭେଟିଛନ୍ତି ନୀତିଶ କୁମାର ।