ବିଜେପି ଉପରେ ଜୋରଦାର ବର୍ଷିଲେ ଆରଜେଡି ନେତା ତେଜସ୍ୱୀ ଯାଦବ । କହିଲେ, ବିଜେପିକୁ ପଚାରନ୍ତୁ, ୧୯ ଲକ୍ଷ ଚାକିରି ପ୍ରତିଶ୍ରୁତିରୁ ୧୯ଟି ଚାକିରି ଦେଇଛନ୍ତି କି?

154

କନକ ବ୍ୟୁରୋ: ବିଜେପି ଉପରେ ବର୍ଷିଲେ ତେଜସ୍ୱୀ ଯାଦବ । ବିହାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଭାରତୀୟ ଜନତା ପାର୍ଟି ଉପରେ ଜୋରଦାର ବର୍ଷିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତେଜସ୍ୱୀ କହିଛନ୍ତି, ଆମ ଉପଲବ୍ଧ ଏହା ଯେ, ଲୋକମାନେ ଏବେ ହିନ୍ଦୁ-ମୁସଲମାନ କଥା ଛାଡି ରୋଜଗାର ଉପରେ ଚର୍ଚ୍ଚା କରୁଛନ୍ତି । ବେରୋଜଗାରୀ ଓ ରୋଜଗାର ଉପରେ ଏବେ ସକରାତ୍ମକ ବିମର୍ଶ ହେଉଛି ବୋଲି ତେଜସ୍ୱୀ କହିଛନ୍ତି ।

ଏକ ଭିଡିଓ ଟୁଇଟ୍ କରି ତେଜସ୍ୱୀ କହିଛନ୍ତି, ସବୁ ପ୍ରତିଶ୍ରୁତ ଆମେ ପୂରଣ କରିବୁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏନେଇ ଆଜି ସୂଚନା ଦେଇଛନ୍ତି । ତେବେ ଥରେ ସେମାନଙ୍କୁ ମଧ୍ୟ ୨ କୋଟି ଚାକିରି କଥା ପଚରାଯାଉ ବୋଲି ତେଜସ୍ୱୀ କହିଛନ୍ତି । ତା ସହିତ ବିଜେପି ଗତ ଦୁଇ ବର୍ଷ ହେଲା ଶାସନରେ ରହିଲା, ହେଲେ ୧୯ ଲକ୍ଷ ଚାକିରି ପ୍ରତିଶ୍ରୁତିରୁ ସେ ୧୯ଟି ରୋଜଗାର ଦେଇଛନ୍ତି କି? ବୋଲି ତେଜସ୍ୱୀ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଆରଜେଡି ନେତା ଶିବାନନ୍ଦ ତିୱାରୀ ହର ଘର ତ୍ରିରଙ୍ଗା ଅଭିଯାନ ଜରିଆରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ଜାତୀୟ ପତାକାକୁ ଅପମାନ କରୁଛି । ଦେଶର ଜାତୀୟ ପତାକା ଦେଶର ପ୍ରତୀକ ଅଟେ । ଜାତୀୟ ପତାକାର ରାଜନୈତିକ ବ୍ୟବହାର କରିବା ଏହାର ପବିତ୍ରତାଓ ମାନ ମର୍ଯ୍ୟାଦା ପ୍ରତି ଅପମାନ ଅଟେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ମାତୃ ସଙ୍ଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତ୍ରିରଙ୍ଗାକୁ ଅଶୁଭ କହିଥିଲା । ଲମ୍ବା ସମୟ ଧରି ସଂଘ ଆମ ଜାତୀୟ ପତାକାର ବହିିଷ୍କାର କରିଥିଲା । ଏମିତି କି ୨୦୦୧ ମସିହା ପର୍ଯ୍ୟନ୍ତ ନାଗପୁର ସ୍ଥିତ ଆରଏସଏସ୍ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଲଗାଯାଇନଥିଲା । ହେଲେ ଆଜି ସେହି ସଂଘ ହର ଘର ତ୍ରିରଙ୍ଗା ଅଭିଯାନ ଚଲାଇ ଦେଶରେ ଭକ୍ତିର ବାତାବରଣ ସୃଷ୍ଟି କରୁଛି ବୋଲି କହିଛନ୍ତି ଆରଜେଡି ନେତା ଶିବାନନ୍ଦ ତିୱାରୀ ।