କନକ ବ୍ୟୁରୋ : ବିହାର ପାଟନାରେ ବିରୋଧୀଦଳଙ୍କ ମହା ବୈଠକ ସମାପ୍ତ ହୋଇଛି । ବୈଠକ ସରିବା ପରେ ବିହାର ମୁଖ୍ୟମନ୍ତ୍ରୀ ତଥା ବୈଠକର ସଂଯୋଜକ ନୀତିଶ କୁମାର ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ବୈଠକରେ ଆଲୋଚନା ଫଳପ୍ରଦ ହୋଇଛି । ସମସ୍ତେ ଏକାସାଥିରେ ଚାଲିବାକୁ ସହମତ ହୋଇଛନ୍ତି । ଏହାସହ ଏନେଇ ଆଗାମୀ ବୈଠକ ମଲ୍ଲିକାର୍ଜୁନ ଖଡଗେଙ୍ଗ ଅଧ୍ୟକ୍ଷତାରେ ଆଗାମୀ ମାସରେ ହେବ । ଏହାସହ ନୀତିଶ କୁମାର ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଯେଉଁଦଳ କେନ୍ଦ୍ର ଶାସନରେ ଅଛି ସେ ଦେଶହିତରେ କାମ କରୁନାହିଁ । ହେଲେ କେନ୍ଦ୍ର ସରକାର ଯେଉଁ କାମ କରୁଛନ୍ତି ତାହାକୁ ନେଇ ଦେଶବାସୀ ଚିନ୍ତାରେ ଅଛନ୍ତି । ଏହି କ୍ରମରେ ଯଦି କୌଣସି ରାଜ୍ୟ କିଛି ଚ୍ୟାଲେଞ୍ଜର ସାମ୍ନା କରେ ତେବେ ସମସ୍ତ ବିରୋଧୀ ସେହି ରାଜ୍ୟ ସରକାରଙ୍କ ସହ ମଳିତ ଭାବେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ।

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି କି, ଆଗାମୀ ବୈଠକ କିଛିଦିନ ପରେ ସବୁ ବିରୋଧୀଦଳଙ୍କୁ ନେଇ ହେବ । ଆଗାମୀ ବୈଠକରେ କିଏ କେଉଁଠି ଲଢିବ ତାହାକୁ ନେଇ ନିଷ୍ପତ୍ତି ହେବ । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି ଜୁଲାଇ ୧୦ କିମ୍ବା ୧୨ ତାରିଖରେ ସିମଲା ଠାରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଏକ ସାଧାରଣ ଏଜେଣ୍ଡା ପ୍ରସ୍ତୁତ କରାଯିବ । ଆମକୁ ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ତରିକାରେ କାମ କରିବାକୁ ପଡିବ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିବ ବିଜେପିକୁ କ୍ଷମତାଚ୍ୟୁତ କରିବା ବୋଲି ଖଡଗେ କହିଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, ଏହା ବିଚାରଧାରର ଲଢେଇ । ଆମେ ଏକାସାଥିରେ ଠିଆ ହୋଇଛି । ଆମ ଭିତରେ ଅଳ୍ପ ବହୁତେ ମତଭେଦ ରହିଛି । ମାତ୍ର ଆଗାମୀ ଦିନରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ । ଏହାସହ ବିଜେପି ଓ ଆରଏସଏସ ହିନ୍ଦୁସ୍ଥାନର ମୂଳଦୁଆ ଉପରେ ଆକ୍ରମଣ କରୁଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।