କନକ ବ୍ୟୁରୋ: ସ୍ଥିର ଲକ୍ଷ୍ୟ, ଦୃଢ ଇଚ୍ଛାଶକ୍ତି ଓ ସକରାତ୍ମକ ଭାବନା ମଣିଷର ସ୍ୱପ୍ନକୁ ନିଶ୍ଚିନ୍ତ ପୁରଣ କରିଥାଏ । ଏହା ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇଛି । ହେଲେ ଜଣେ ସାଧାରଣ ପିଅନ ବା କିରାଣୀ ଜଣେ ପ୍ରଫେସର ହେବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ତାହା କରିଦେଖାଇଛନ୍ତି ବିହାରର ରାଜଧାନୀ ପାଟନାରେ ରହୁଥିବା କମଲା କିଶୋର ମଣ୍ଡଳ ।

Advertisment

୪୨ ବର୍ଷିୟ କମଳା କିଶୋରଙ୍କୁ ଯେତେବେଳେ ୨୩ ବର୍ଷ ହୋଇଥିଲା ସେ ମୁଙ୍ଗେରର ଥିବା ଆରଡି ଓ ଡିଜେ କଲେଜର ଜଣେ ରାତ୍ର ଜଗୁଆଳି ଭାବେ ନିଯୁକ୍ତ ହୋଇଥିଲେ । ସେ ୨୦୦୩ ମସିହାରେ ସେହି କଲେଜରୁ ଗ୍ରାଜୁଏସନ ଶେଷ କରିଥିଲେ ଓ ଟଙ୍କାର ଆବଶ୍ୟକତା ଥିବାରୁ ତୁରନ୍ତ ସେଠାରେ ଖାଲିପଡିଥିବା ରାତ୍ର ଜଗୁଆଳି ପୋଷ୍ଟରେ ଭର୍ତ୍ତି ହୋଇଯାଇଥିଲେ ।

ସେପଟେ ଅନ୍ୟପିଲାମାନେ ସେଠାରେ ଉଚ୍ଚଶିକ୍ଷା ନେଉଥିବା ବେଳେ କମଳାଙ୍କର ପୂୁଣି ପାଠ ପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏନେଇ ସେ କଲେଜ କର୍ତ୍ତୁପକ୍ଷଙ୍କୁ ଗୁହାରି କରିଥିଲେ କି ତାଙ୍କୁ ପିଜି କରିବାକୁ ସୁଯୋଗ ମିଳୁ । ଏସବୁ ଭିତରେ ବହୁ ବାଧାବିଘ୍ନ ସହି ସେ ୨୦୧୯ ମସିହାରେ ପିଏଚଡି ଶେଷ କରିଥିଲେ । ଏହା ମଧ୍ୟରେ ସେ ଏନଇଟି ମଧ୍ୟ କ୍ଲିୟର କରିଥିଲେ ।

୨୦୨୦ ରେ ଯେତେବେଳେ ବିହାର ସରକାରଙ୍କ ପ୍ରଫେସର ପୋଷ୍ଟ ବାହାରିଲା ସେତେବେଳେ ସେ ଆବେଦନ କରିଥିଲେ । ସୁଭାଗ୍ୟରୁ ସେ ଏହି ପୋଷ୍ଟ ପାଇଁ ଯୋଗ୍ୟ ବିବେଚିତ ହୋଇ ଏବେ ସଂପୃକ୍ତ ମହାବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇଛନ୍ତି ।