କନକ ବ୍ୟୁରୋ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ ଲୋକସଭାରୁ ଉପନିର୍ବାଚନ ଲଢ଼ିବେ । ଦୁଇଟି ଆସନ ଜିତିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରାଏବରେଲୀ ରଖି ୱାୟନାଡ ଛାଡିବେ ବୋଲି ଗତକାଲି ଦଳର ସଭାପତି ମଲ୍ଲିକାର୍ଜୁଡ଼ ଖଡଗେ ଘୋଷଣା କରିଥିଲେ । ଏବେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀଭାବେ ବାଛି କରି କଂଗ୍ରେସ ଗୋଟିଏ ଗୁଳିରେ ବହୁ ଶିକାର କରିବାକୁ ଚେଷ୍ଟା କରିିଛି ।

Advertisment

ରାହୁଲ ଗାନ୍ଧୀ ରାଏବରେଲୀ ଆସନ ରଖିବା ଓ ପ୍ରିୟଙ୍କାକୁ ୱାୟନାଡରୁ ପ୍ରାର୍ଥୀ କରିବା ପଛରେ କଂଗ୍ରେସର ସୁଚିନ୍ତିତ ଯୋଜନା ଅଛି । ପ୍ରଥମକଥା ହେଲା ହିନ୍ଦୀ ଭାଷାଭାଷୀ ଅଂଚଳ ମୁଖ୍ୟତ ଉତରପ୍ରଦେଶରେ ସମାଜବାଦୀପାର୍ଟିକୁ ସାଥୀ କରି କଂଗ୍ରେସ ବଡ ସଫଳତା ପାଇଛି । ଏହି ସଫଳତାକୁ ଉତରପ୍ରଦେଶ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଧରି ରଖିବାକୁ କଂଗ୍ରେସ ଚାହୁଁଛି । ସେତେବେଳେ ବିଜେପିର ପରମ ପ୍ରତିଦ୍ୱନ୍ଦୀଭାବେ ସପା-କଂଗ୍ରେସ ମେଂଟ ଛିଡା ହେବ । ଏହା ଛଡା ରାଏବରେଲୀ ଭଳି ପାରମ୍ପାରିକ ପାରିବାରିକ ଆସନ ଛାଡିବାକୁ ଗାନ୍ଧୀ ପରିବାର ଚାହିୁଁନି । ଏହା ବ୍ୟତିତ ହିନ୍ଦୀ ଭାଷାଭାଷୀ ଅଂଚଳରେ ପ୍ରତିନିଧିତ୍ୱ କରି ରାହୁଲ ଲୋକସଭାରେ ନିଜର ଛାପ ଛାଡିବାକୁ ଚାହୁଁନାହାଁନ୍ତି ।ଯାହାର ଫଳ ହେଲା ୱାୟନାଡରୁ ଇସ୍ତଫା ।

ଅନ୍ୟପକ୍ଷରେ ଦକ୍ଷିଣର ମୁଖ୍ୟ ରାଜ୍ୟ ମଧ୍ୟରେ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଶାସନ କ୍ଷମତା ରହିବା ସହିତ କଂଗ୍ରେସ ତାମିଲନାଡୁରେ ଶାସକ ଡିଏମକେ ସହ ମେଂଟ କରିଛି । ଆଗକୁ ୨୦୨୬କେରଳ ବିଧାନସଭା ନିର୍ବାଚନ ହେବ । କଂଗ୍ରେସ ଆକଳନ କରିଥିଲା ରାହୁଲଙ୍କ ବ୍ୟତିତ ଅନ୍ୟ କାହାକୁ ୱାୟନାଡରୁ ପ୍ରାର୍ଥୀ କରିଥିଲେ କମ୍ୟୁନିଷ୍ଟ କଂଗ୍ରେସକୁ ଘେରିବାକୁ ମୌକା ପାଇଥାନ୍ତା । ଯାହା ପ୍ରିୟଙ୍କାଙ୍କୁ ପ୍ରାର୍ଥିତ୍ୱ କରିବାକୁ ଦେବନି । ୱାୟନାଡ ଓ ରାହୁଲଙ୍କ ୫ବର୍ଷର ଭାବଗତ ସର୍ମ୍ପକ ଅଛି । ତେଣୁ ପ୍ରିୟଙ୍କାଙ୍କଠାରୁ ଉପଯୁକ୍ତ ପ୍ରାର୍ଥୀ ମିଳିପାରିନଥାନ୍ତା । ତାଙ୍କ ନାଁକୁ ଘୋଷଣା କରି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛି ।

ଯଦି ୱାୟନାଡରୁ ପ୍ରିୟଙ୍କା ଜିତନ୍ତି ତାହେଲେ ପ୍ରଥମଥର ପାଇଁ ସଂସଦରେ ଗାନ୍ଧୀ ପରିବାରର ୩ଜଣ ସଭ୍ୟ ରହିବେ । ଯାହାକି କଂଗ୍ରେସ ବଂଶବାଦୀ ରାଜନୀତି ବୋଲି ବିଜେପି ସମାଲୋଚନା କରିବାକୁ ପଛାଇବନି । ଏହାକୁ କଂଗ୍ରେସ କିଭଳି ପ୍ରତିହିତ କରିବ ତାଉପରେ ନଜର ରହିବ ।