ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ! ୨୦ ଯବାନ ସହିଦ, ୪୫ରୁ ଅଧିକ ଗୁରୁତର ।

711

କନକ ବ୍ୟୁରୋ: ଜମ୍ମୁ-କଶ୍ମୀର ପୁଲୱାମା ଠାରେ ବଡ଼ ଆତଙ୍କୀ ହମଲା । ଏହି ଆତଙ୍କୀ ଆକ୍ରମଣରେ ଘଟଣାସ୍ଥଳରେ ୨୦ ସିଆରପିଏଫ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ସେହିଭଳି ୪୫ରୁ ଅଧିକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୁଲୱାମାର ହାଇୱେ ଉପରେ ଆତଙ୍କବାଦୀ ମାନେ ଆତ୍ମଘାତୀ ଆଇଇଡ଼ି ବିସ୍ଫୋରଣ କରି ଏହି ଆକ୍ରମଣ ଘଟାଇଛନ୍ତି ।  ସୂଚନା ମୁତାବକ ସିଆରପିଏଫ ଯବାନଙ୍କ ଗାଡ଼ି ରାସ୍ତାରେ ଯାଉଥିବା ବେଳେ ଆତଙ୍କବାଦୀ ମାନେ  ଆଇଇଡି ଖଞ୍ଜା ଯାଇଥିବା କାରକୁ ଆଣି ସିଧାସଳଖ ଯବାନ ମାନେ ଯାଉଥିବା ଗାଡି ସହ ଧକ୍କା କରିଥିଲେ । ଫଳରେ ଘଟଣାସ୍ଥଳରେ ବଡ ଧରଣରର ବିସ୍ପୋରଣ ହୋଇଥିଲା । ଆଉ ଏହାସହ ସେଠାରେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀ ମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ ।

ସେପଟେ ଏହି ବଡ଼ ଆତଙ୍କବାଦୀ ଆକ୍ରମଣ ନେଇ  ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସିଆରପିଏଫର ୫୪ ବାଟାଲିୟନର ଯବାନ ମାନେ ସେନାଗାଡିରେ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଅଓ୍ଵନ୍ତିପୁରା ନିକଟରେ ଆତଙ୍କବାଦୀମାନେ ବିସ୍ଫୋରକ ଭରା ଏକ କାରକୁ ଯବାନଙ୍କ ଗାଡି ସହିତ ଧକ୍କା ଦେଇଥିଲେ । ଗାଡିରେ ୨୫୦୦ରୁ ଅଧିକ ଯବାନ ମାନେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଯେଉଁ ଗାଡି ସହ ଆତଙ୍କବାଦୀଙ୍କ ଗାଡି ଧକ୍କା ହୋଇଥିଲା ସେଥିରେ ପ୍ରାୟ ୪୪ ଜଣ ଯବାନ ଥିଲେ ବୋଲି ଜଣାପଡିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଅପରାହ୍ନ ୩ଟା୩୦ ବେଳେ ଏହି ଘଟଣା ଘଟିଥିଲା । ଆହତମାନଙ୍କୁ ସେନାର ୯୨ ବେସ କ୍ୟାମ୍ପ ହସପିଟାଲକୁ ପଠାଇଦିଆଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଏବେ ସୁରକ୍ଷାବାହିନୀ ପକ୍ଷରୁ ଘେରାଉ କରାଯାଇଛି । ଏହାସହ ପୂରା ଅଞ୍ଚଳକୁ ସିଲ୍ କରାଯିବ ଖାନତଲାସୀ ଆରମ୍ଭ କରାଯାଇଛି ।

ଜମ୍ମୁ-କାଶ୍ମୀରରେ ସେନା ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଘଟଣା ପରେ ବିଦେଶ ରାଜ୍ୟ ମନ୍ତ୍ରୀ ବି.କେ ସିଂହ କଡା ବୟାନ ଦେଇଛନ୍ତି । ଏହି ଆକ୍ରମଣର କଡା ଜବାବ ଦିଆଯିବ, ସହିଦଙ୍କ ପ୍ରତିଟି ରକ୍ତବିନ୍ଦୁର ନିଆଯିବ ହିସାବ । ଆତଙ୍କୀ ହମଲାର ପ୍ରତିଶୋଧ ନିଆଯିବ । ବ୍ୟର୍ଥ ଯିବନି ଶହିଦଙ୍କ ବଳିଦାନ । , ଏହି ଆକ୍ରମଣର କଡା ଜବାବ ଦିଆଯିବ । ତେବେ ଏହି ଘଟଣା ପରେ ଗୃହମନ୍ତ୍ରୀ ରାଜନାଥ ସିଂ ସିଆରପିଏଫ ଡିଜିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।