ଭାରତ-ପାକିସ୍ତାନ ଫ୍ୟାନ୍ସଙ୍କୁ ବଡ ଝଟକା: ୫ ବର୍ଷ ଯାଏଁ ହେବନି କୌଣସି ସିରିଜ

1,864

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଏହି ଦୁଇ ଦେଶର ମ୍ୟାଚକୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କୁ ଲାଗିଛି ବଡ ଝଟକା । କାରଣ ଆଗାମୀ ୫ ବର୍ଷ ଯାଏଁ ଏହି ଦୁଇ ଦେଶ ମଧ୍ୟରେ ହେବନି କୌଣସି ବି ସିରିଜ । ଗତ ୧୦ ବର୍ଷର କ୍ରିକେଟ ଯଦି ଆମେ ଦେଖିବା ତେବେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ । କେବଳ ଆଇସିସିର ବଡ ବଡ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦେଶ ମୁହାଁମୁହିଁ ହୋଇଥାନ୍ତି । ଆଉ ସେହି ମ୍ୟାଚକୁ ଦେଖିବାକୁ ଦର୍ଶକମାନଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳେ । ହେଲେ ଏବେ ଏହି ଖବର ଦର୍ଶକଙ୍କୁ ନିରାଶ କରିଛି ।

ଭାରତ-ପାକିସ୍ତାନ ମ୍ୟାଚ, ଯାହାକୁ ସାରା ବିଶ୍ୱ ଚାହିଁ ରହିଥାଏ । ଏହି ଦୁଇ ଦେଶର ମ୍ୟାଚ କହିଲେ ମାନେ ମନକୁ ଚାଲିଆସେ ଏକ ପ୍ରକାର ଜୋଶ । ୨ ପାରମ୍ପରିକ ପ୍ରତିଦ୍ୱନ୍ଦି ଯେତେବେଳେ ଫିଲ୍ଡରେ ଥାନ୍ତି ସେତେବେଳେ ଷ୍ଟାଡିୟମରେ ଥାଏ ଖଚାଖଚ ଭିଡ । କେବଳ ଷ୍ଟାଡିୟମ ଭିତରେ ନୁହେଁ ଷ୍ଟାଡିୟମ ବାହାରେ ଛକ ଛକରେ ଖେଳ ଦେଖିବାକୁ ଜମିଥାଏ ଭିଡ । ହେଲେ ଏବେ ପୁଣି ଆଉ ୫ ବର୍ଷ ଦର୍ଶକଙ୍କୁ ନିରାଶ ହେବାକୁ ପଡିବ ।

ସମସ୍ତ ରାଜ୍ୟ ଆସୋସିଏସନଙ୍କୁ ବିସିସିଆଇ ୨୦୨୩ରୁ ୨୦୨୭ ଯାଏଁ ଫ୍ୟୁଚର ଟୁର ପୋଗ୍ରାମ ପଠାଇଛି । ଯେଉଁଥିରେ ପାକିସ୍ତାନର ନାଁ ନାହିଁ । ଏହି ପୋଗ୍ରାମ ଅନୁସାରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ମ୍ୟାଚ ଖେଳିବ । ଆସନ୍ତା ୫ ବର୍ଷରେ ଭାରତର ୩୮ଟି ଟେଷ୍ଟ ମ୍ୟାଚ ରହିଛି, ଯେଉଁଥିରେ ଭାରତ ୨୦ ଘରୋଇ ଓ ୧୮ଟି ମ୍ୟାଚ ବିଦେଶରେ ଖେଳିବ । ୪୨ଟି ଦିନିକିଆ ମଧ୍ୟରୁ ୨୧ ଘରୋଇ ଓ ୨୧ଟି ବିଦେଶରେ ଖେଳିବ । ସେହିପରି ଏହି ୫ ବର୍ଷରେ ଭାରତ ୬୧ଟି ଟି-୨୦ ମ୍ୟାଚ ଖେଳିବ, ସେଥି ମଧ୍ୟରୁ ୩୧ ମ୍ୟାଚ ଘରୋଇ ରହିଥିବା ବେଳେ ୩୦ ମ୍ୟାଚ ବିଦେଶରେ ରହିଛି ।

ଭାରତ ସରକାରଙ୍କ ମଞ୍ଜୁରୀ ନମିଳିବା ଯାଏଁ ବିସିସିଆଇ ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜକୁ ନେଇ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ । ଗତ ଦଶନ୍ଧି ହେବ ଦୁଇ ଦେଶ କୌଣସି ବି ସିରିଜ ଖେଳିନାହାନ୍ତି । ଶେଷଥର ପାଇଁ ୨୦୧୨-୧୩ରେ ପାକିସ୍ତାନ ଭାରତ ଗସ୍ତରେ ଆସିଥିଲା । ସେତେବଳେ ଦୁଇ ଦେଶ ଭିତରେ ୩ ଦିନିକିଆ ଓ ୨ ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଉ ପାକିସ୍ତାନ ୨-୧ରେ ଦିନିକିଆ ସିରିଜ ହାତେଇ ଥିବା ବେଳେ ଟି-୨୦ ସିରିଜ ୧-୧ରେ ବରାବର ରହିଥିଲା । ସେବେଠୁ ଏହି ୨ ଦେଶ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ପରସ୍ପରକୁ ଭେଟିଥାନ୍ତି ।

ଟିମ ଇଣ୍ଡିଆର ଏହି ଫ୍ୟୁଚର ଟୁର ପୋଗ୍ରାମରେ ଗତ ଫ୍ୟୁଚର ଟୁର ପୋଗ୍ରାମଠାରୁ ବହୁତ କମ ମ୍ୟାଚ ରହିଛି । ଟିମ ଇଣ୍ଡିଆ ଗତ ଫ୍ୟୁଚର ଟୁରରେ ୧୬୩ ମ୍ୟାଚ ଖେଳିଥିଲା, ହେଲେ ଆସନ୍ତା ଫ୍ୟୁଚର ଟୁରରେ ଭାରତ ୧୪୧ ମ୍ୟାଚ ଖେଳିବ । ପ୍ରତିବର୍ଷ ଆଇସିସି ଇଭେଣ୍ଟ ଓ ଆଇପିଏଲ ଯୋଗୁଁ ସିରିଜ କମ ଥିବା କୁହାଯାଉଛି । ହେଲେ ଜୟ ଶାହା କହିଛନ୍ତି, ମ୍ୟାଚ ସିନା କମ ଅଛି ହେଲେ ମ୍ୟାଚ କ୍ୱାଲିଟିକୁ ବଢାଇବା ପାଇଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଟିମ ସହ ଅଧିକ ମ୍ୟାଚ ରଖାଯାଇଛି ।

ଚଳିତ ବର୍ଷ ଏସିଆକପରେ ୨ ଥର ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ଗୋଟିଏରେ ବିଜୟ ହୋଇଥିଲା ବେଳେ ଆଉ ଗୋଟିଏରେ ପାକିସ୍ତାନ ବାଜି ମାରିନେଇଥିଲା । ସେହିପରି ଅକ୍ଟୋବର ୨୩ ତାରିଖ ଟି-୨୦ ବିଶ୍ୱକପରେ ଏହି ଦୁଇ ଦେଶ ମୁହାଁମୁହିଁ ହେବେ । ଯାହା ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର ।