ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ୱସ୍ତି ! ଶିଖର ଆହତ, କିନ୍ତୁ ଟିମରେ ରହିବେ । ମ୍ୟାଚ୍ ଖେଳିବା ନେଇ ୧ ସପ୍ତାହ ପରେ ବୋର୍ଡ ନେବ ନିଷ୍ପତି ।

416

କନକ ବ୍ୟୁରୋ : ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ବଡ ଖବର । ବିଶ୍ୱକପରେ ଆହତ ହୋଇଛନ୍ତି ଟିମ୍ ଇଣ୍ଡିଆ ଓପନର ଶିଖର ଧାୱନ୍ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କ ହାତରେ ଲାଗିଛି ଆଘାତ । କିନ୍ତୁ ବିସିସିଆଇ ସୂଚନା ଅନୁସାରେ ଆସନ୍ତା ସପ୍ତାହେ ଯାଏଁ ଧାୱନ ରହିବେ ଅବଜରଭେସନରେ । ଏହା ମଧ୍ୟରେ ଖେଳାଯିବାକୁ ଥିବା ୨ଟି ବିଶ୍ୱକପ୍ ମ୍ୟାଚ ଖେଳିବେନି । ପୁରା ବିଶ୍ୱରେ ବିଶ୍ୱକପ କ୍ରିକେଟର କ୍ରେଜ୍ ଜମିଆସୁଥିବା ବେଳେ ଶିଖରଙ୍କ ଆଘାତ ଖବର ଭାରତୀୟ ଫ୍ୟାନଙ୍କ ପାଇଁ ବଡ ଝଟକା ପରି ହୋଇଛି ।

ଆଗାମୀ ସପ୍ତାହେ ଯାଏଁ ବିଶ୍ୱକପରେ ଦେଖିବାକୁ ମିଳିବନି ଗବରଙ୍କ ଏହି ଦମଦାର ବ୍ୟାଟିଂ । ଟିମ୍ ଇଣ୍ଡିଆର ଏହି ଷ୍ଟାର ଓପନରଙ୍କ ହାତରେ ଲାଗିଛି ଆଘାତ । ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନର ଧୂଆଁଧାର ଇନିଂସ ଖେଳିବା ସମୟରେ ଆହତ ହୋଇଥିଲେ ଶିଖର । ହେଲେ ପଡିଆ ଛାଡିନଥିଲେ । କଙ୍ଗାରୁ ବୋଲରଙ୍କ ବିପକ୍ଷରେ ହାସଲ କରିଥିଲେ ସେଂଚୁରୀ । ହେଲେ ପରେ ଜଣାପଡିଲା ଶିଖରଙ୍କ ବାମ ହାତରେ ବଲ୍ ଲାଗିବା ପରେ, ଆଙ୍ଗୁଠିର ହାଡରେ ହେୟାରଲାଇନ୍ ଫ୍ରାକଚର ହୋଇଛି । ଆଉ ଏହି ଖବର୍ ଟିମ୍ ଇଣ୍ଡିଆ ପାଇଁ ହୋଇଛି ବଡ ଝଟକା ।

କଙ୍ଗାରୁ ଦଳ ବିପକ୍ଷରେ ଧାୱନ ଖେଳିଥିଲେ ଶତକୀୟ ଇନିଂସ । ହେଲେ ଏହି ମ୍ୟାଚରେ ତାଙ୍କ ବାମ ହାତରେ ଲାଗିଥିଲା ବଲ୍ । ନବମ ଓଭରରେ ଶିଖରଙ୍କ ହାତରେ ବଲ୍ ବାଜିବା ପରେ ବି ସେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ । ହେଲେ ମ୍ୟାଚ୍ ପରେ ଧାୱନଙ୍କ ହାତର ଅଙ୍ଗୁଳିର ହାଡ ଫାଟିଥିବା ସ୍କାନିଂ ପରେ ଜଣାପଡ଼ିଥିଲା ।

ଆଘାତ ସତ୍ୱେ ଟିମରେ ରହିବେ ଶିଖର । ନଜର ରଖିବ ବିସିସିଆଇ ଡାକ୍ତରୀ ଟିମ୍ । ଶିଖରଙ୍କ ଏହି ଆଘାତ ସମସ୍ୟା ପଦାକୁ ଆସିବା ମାତ୍ରେ ଭାରତୀୟ କ୍ରିକେଟ୍ ଫ୍ୟାନଙ୍କ ଚିନ୍ତା ବଢିଯାଇଥିଲା । ତେବେ ଏହା ମଧ୍ୟରେ ଶିଖରଙ୍କୁ ନେଇ ବିସିସିଆଇର ସ୍ପଷ୍ଟୀକରଣ ଫ୍ୟାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଆଘାତ ସତ୍ୱେ ବିଶ୍ୱକପ୍ ଟିମରେ ରହିବେ ଶିଖର । ସପ୍ତାହକ ଯାଏଁ ବିସିସିଆଇ ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିବ । ଏହି ସପ୍ତାହକ ମଧ୍ୟରେ ଜୁନ୍ ୧୩ରେ ନ୍ୟୁଜିଲାଣ୍ଡ ଓ ଜୁନ୍ ୧୬ରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚ୍ ମିସ୍ କରିବେ ଧାୱନ । ସପ୍ତାହକ ପରେ ଆଘାତ ସମସ୍ୟା ନେଇ ଅନୁଧ୍ୟାନ କରିବ ବୋର୍ଡ ।

ତେବେ ପ୍ରଶ୍ନ ଉଠୁଛି, ଶିଖରଙ୍କ ସ୍ଥାନରେ କିଏ କରିବ ଓପନିଂ ? ରେସରେ କେ.ଏଲ ରାହୁଲ, ଦିନେଶ କାର୍ତିକ । ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କେହି ବି ଓପନିଂ କରିପାରନ୍ତି । ରାହୁଲ୍ ଓପନିଂ କଲେ, କାର୍ତିକ କିମ୍ବା ପନ୍ଥଙ୍କୁ ମିଳିପାରେ ୪ ନଂ ସ୍ଥାନରେ ବ୍ୟାଟିଂ ସୁଯୋଗ । ତେବେ ଆହତ ଶିଖରଙ୍କ ସ୍ଥାନରେ ବର୍ତମାନ ବିଶ୍ୱକପ ଦଳରେ କାହାକୁ ସ୍ଥାନ ଦେବାକୁ ବୋର୍ଡ ନିଷ୍ପତି ନେଇନି । ଏହି ରେସରେ କିନ୍ତୁ ଆଗରେ ଅଛନ୍ତି ଭାରତର ୨୧ ବର୍ଷୀୟ ଯୁବ ୱିକେଟ୍ କିପର ବ୍ୟାଟସମ୍ୟାନ୍ ରିସଭ୍ ପନ୍ତ । ସୂଚନା ଅନୁସାରେ ଶିଖର ଆହତ କାରଣରୁ ଦଳରୁ ସଂପୂର୍ଣ୍ଣ ବାଦ୍ ପଡିଲେ, ପନ୍ତଙ୍କୁ ମିଳିବ ବିଶ୍ୱକପ୍ ଟିକେଟ୍ ।