୨୫ରେ ପୁଣି ବଡ଼ ଟକ୍କର ! ଭୁବନେଶ୍ୱରରେ ରାହୁଲଙ୍କ ବିଶାଳ ସମାବେଶକୁ ବିଜେଡିର କାଉଣ୍ଟର, ପୁରୀରେ ୧ ଲକ୍ଷ ଚାଷୀଙ୍କୁ ନେଇ ନବୀନଙ୍କ କାର୍ଯ୍ୟକ୍ରମ । 

170

କନକ ବ୍ୟୁରୋ : ପୁଣି ଥରେ ଦେଖିବାକୁ ମିଳିବ ରାଜନୈତିକ ଟକ୍କର । ଆସନ୍ତା ୨୫ ତାରିଖରେ ରାହୁଲଙ୍କ ଓଡ଼ିଶା ଗସ୍ତ । ଭୁବନେଶ୍ୱର ତମାଣ୍ଡୋ ପଡ଼ିଆରେ ବିଶାଳ ଦଳୀୟ ସମାବେଶରେ ସମ୍ବୋଧନ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଆଉ ସେହି ୨୫ ତାରିଖ ଦିନ ପୁରୀରେ ୧ ଲକ୍ଷ ଚାଷୀଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜାନୁଆରୀ ୫ରେ ଓ ୧୫ ତାରିଖରେ ମୋଦୀଙ୍କ ଗସ୍ତ ସମୟରେ ବଡ଼ କାର୍ଯ୍ୟକ୍ରମ କରି କାଉଂଟର କରିଥିଲେ ନବୀନ । ଏଥର ହେବ କଂଗ୍ରେସର ଶୀର୍ଷ ନେତାଙ୍କ ସହ ବିଜେଡି ଶୀର୍ଷ ନେତାଙ୍କ କାଉଂଟର ।

୨୫ ଜାନୁଆରୀ ୨୦୧୯ । ଭୁବନେଶ୍ୱର ତମାଣ୍ଡୋରେ ରାହୁଲଙ୍କ ଜନସଭା । ୨୫ ଜାନୁଆରୀ ୨୦୧୯ । ପୁରୀ ତାଳବଣିଆରେ ନବୀନଙ୍କ କାର୍ଯ୍ୟକ୍ରମ । ନିର୍ବାଚନ ବର୍ଷରେ ପ୍ରତିପକ୍ଷ ରାଜନୈତିକ ଦଳର ଶୀର୍ଷ ନେତାଙ୍କ ଭିତରେ ଲଢେଇ ଦେଖିବାକୁ ମିଳୁଛି । ଜାନୁଆରୀ ୫ ଓ ୧୫ରେ ଦେଖିବାକୁ ମିଳିଥିବା ବିଜେଡି-ବିଜେପି ଲଢେଇ ଆଗାମୀ ୨୫ ତାରିଖରେ ବିଜେଡି-କଂଗ୍ରେସ ଲଢେଇରେ ପରିଣତ ହେବାକୁ ଯାଉଛି । କାରଣ ଜାନୁଆରୀ ୨୫ ତାରିଖରେ ଓଡିଶା ଆସି ଭୁବନେଶ୍ୱର ତମାଣ୍ଡୋ ପଡିଆରେ ବିରାଟ ଜନସଭାକୁ ସମ୍ବୋଧିତ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ସମାନ ଦିନରେ ପୁରୀ ତାଳିବଣିଆରେ ରାଜ୍ୟ ସରକାରଙ୍କ ପରିଚାଳିତ ସବୁଠାରୁ ବଡ କାଳିଆ ଯୋଜନାର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୀର୍ଘବର୍ଷ ହେଲା ରାଜ୍ୟରେ ଦୁଇଟି ଜାତୀୟ ଦଳକୁ ଚେକ୍ ଦେଇଆସୁଥିବା ନବୀନ ଏବେ ଶୀର୍ଷ ନେତାଙ୍କ ସହ ମୁହାଁମୁହିଁ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କିମ୍ବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାକୁ କାଉଂଟର କରିବା ଲାଗି ସମାନ ଦିନରେ ବିରାଟ କାର୍ଯ୍ୟକ୍ରମ କରାଯାଉଛି ।

ଆଗାମୀ ୨୫ରେ ଓଡିଶା ଆସିବେ ରାହୁଲ ଗାନ୍ଧି । ତିନିଟି ବିଜେପି ଶାସିତ ରାଜ୍ୟରେ କଂଗ୍ରେସର ବିପୁଳ ବିଜୟ ପରେ ରାହୁଲଙ୍କ ଗସ୍ତର ଗୁରୁତ୍ୱ ବଢିଯାଇଛି । ଭୁବନେଶ୍ୱର ତମାଣ୍ଡୋ ପଡିଆରେ ସେ ସାଧାରଣ ସଭାକୁ ସମ୍ବୋଧନ କରିବେ । ସିଭିଲ ସୋସାଇଟି, ଚାଷୀ, ହାଲ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କୁ ଭେଟି ଆଲୋଚନା କରିବେ । ସାମ୍ବାଦିକ ସମ୍ମିଳନୀ କରି ନିଜ ମତ ରଖିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ଖଞ୍ଜି ଦିଆଯାଇଛି ।

ଚାଷ ଓ ଚାଷୀଙ୍କୁ ନେଇ ରାଜ୍ୟ ନେତୃତ୍ୱ କରୁଥିବା ଦାବି ଉପରେ ମୋହର ଲଗାଇ ପାରନ୍ତି କଂଗ୍ରେସ ହାଇକମାଣ୍ଡ । କ୍ଷମତାକୁ ଆସିଲେ କୃଷିଋଣ ଛାଡ, ଚାଷୀଙ୍କୁ ପମ୍ପସେଟ୍ ପ୍ରଦାନ ଓ ଆର୍ଥିକ ସହାୟତା ଭଳି ଘୋଷଣା କରିପାରନ୍ତି ରାହୁଲ ଗାନ୍ଧି । ତେବେ ବିଜେଡି ସରକାରଙ୍କ ବିରୋଧରେ କି ଆଭିମୁଖ୍ୟ ରଖିବେ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ।

ଏପଟେ ସେହି ୨୫ ତାରିଖରେ ପୁରୀ ତାଳବଣିଆ ପଡିଆରେ ପତିଆରା ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀ ପ୍ରସଙ୍ଗରେ କଂଗ୍ରେସର ପ୍ରତିଶ୍ରୁତି ତିନିଟି ରାଜ୍ୟରେ ଫାଇଦା ଆଣିଦେଲା । ତେଣୁ ଚାଷୀଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି ବିଜେଡି ସୁପ୍ରିମୋ । ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଲାଗୁ କରାଯାଇଛି । ଆଉ ପୁରୀରେ ୧ ଲକ୍ଷ ଚାଷୀଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିପାରନ୍ତି ନବୀନ । ଏପରିକି କାଳିଆ ଯୋଜନାର ହିତାଧିକାରୀଙ୍କୁ ପ୍ରଥମଥର ଟଙ୍କା ପ୍ରଦାନ କରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

ପୂର୍ବରୁ ଓଡିଶା ଆସି ବିଜେଡି ଉପରେ କମ୍ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ତେଣୁ ଓଡିଶା ମାଟିରୁ ମୋଦିଙ୍କ ଉପରେ ପାଲଟା ଆକ୍ରମଣ କରିପାରନ୍ତି ରାହୁଲ । ହେଲେ ବିଜେଡି ବିରୋଧରେ କି ଆଭିମୁଖ୍ୟ ରଖିବେ ତା ଉପରେ ନଜର ରହିବ । ସମାନ ଢଙ୍ଗରେ ପୁରୀରୁ ବିରୋଧୀ ଶିବିରକୁ କିଭଳି ଆକ୍ରମଣ କରିବେ ବିଜେଡି ସୁପ୍ରିମୋ ତାହା ମଧ୍ୟ ବେଶ ଗୁୁରୁତ୍ୱ ରଖିବ ।