କନକ ବ୍ୟୁରୋ : ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ଜୁଲାଇ ୧ରୁ ହେବ ବଡ଼ ପରିବର୍ତ୍ତନ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଏଟିଏମରୁ ଟଙ୍କା ଉଠାଣ, ଖାତାରୁ ନଗଦ ଟଙ୍କା ଉଠାଣ ଏବଂ ଚେକ୍ ବୁକ୍ ଇସ୍ୟୁ ଇତ୍ୟାଦି ଏଥିରେ ସାମିଲ ଅଛି । ଏଣିକି ଟଙ୍କା ଉଠାଣ ଉପରେ ଲାଗିବ ଅତିରିକ୍ତ ଚାର୍ଜ । ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟଧାରୀଙ୍କ ପାଇଁ ଏହି ନୂତନ ଦେୟ ଲାଗୁ ହେବ । ଆସନ୍ତୁ ଜାଣିବା କଣ ସବୁ ନୂଆ ନିୟମ ଜାରି କରିଛି ଏସବିଆଇ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟ, ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ବିନା କୌଣସି ଶୁଳ୍କରେ ଆକାଉଂଟ ଖୋଲିପାରିବେ । ଏହାକୁ ଜିରୋ ବାଲାନ୍ସ ସେଭିଂ ଆକାଉଂଟ କୁହାଯାଏ । ତେବେ ଯେକୌଣସି ବ୍ୟକ୍ତି ଯାହାଙ୍କ ପାଖରେ ବୈଧ କେୱାଇସି ଡଳ୍ୟୁମେଂଟ ରହିଥିବ, ସେମାନେ ଏଣିକି ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟରେ ଖାତା ଖୋଲିପାରିବେ ।
ତେବେ ଏହି ଖାତାଧାରୀ ମାସରେ ମାତ୍ର ୪ ଥର ମାଗଣାରେ ଟଙ୍କା ଉଠାଣ କରିପାରିବେ । ଏଥିରେ ଏଟିଏମ୍ ୱିଡ୍ରାଲ ମଧ୍ୟ ସାମିଲ ଅଛି । ତେବେ ଫ୍ରି ଲିମିଟ୍ ଶେଷ ହେବା ପରେ ଅର୍ଥାତ ୪ଥର ଟଙ୍କା ଉଠାଣ ପରେ ପ୍ରତିଟି ଟ୍ରାଞ୍ଜାକସନ୍ ପାଇଁ ୧୫ ଟଙ୍କା ଚାର୍ଜ କରାଯିବ ।
ଏସବିଆଇ ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟଧାରୀଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ଦଶଟି ଚେକ୍ କପି ଦିଆଯାଇଥାଏ । ଏଣିକି ଏହି ଚେକ୍ ବୁକ୍ ପାଇଁ ମଧ୍ୟ ଚାର୍ଜ କରିବ ବ୍ୟାଙ୍କ । ଏହି ଚେକ୍ ବୁକ୍ ପାଇଁ ବ୍ୟାଙ୍କ୍ ୪୦ ଟଙ୍କା ସହ ଜିଏସଟି ଚାର୍ଜ କରିବ । ସେହିପରି ଏମରଜେନ୍ସି ଚେକ୍ ବୁକ୍ ପାଇଁ ୫୦ ଟଙ୍କା ସହ ଜିଏସଟି ଚାର୍ଜ କରାଯିବ ।
ଏହି ସବୁ ନିୟମ ସହ ଏଟିଏମରୁ ଟଙ୍କା ଉଠାଣ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ । ଏସବିଆଇ ବ୍ରାଂଚରୁ ୪ ଥର ମାଗଣା ଟଙ୍କା ଉଠାଇପାରିବେ । ତେବେ ଫ୍ରି ଲିମିଟ୍ ଶେଷ ହେବା ପରେ ପ୍ରତିଟି ଟ୍ରାଞ୍ଜାକସନ୍ ପାଇଁ ୧୫ ଟଙ୍କା ଏବଂ ଜିଏସଟି ଚାର୍ଜ କରିବ ବ୍ୟାଙ୍କ ।
ତେବେ ଚେକ୍ ମାଧ୍ୟମରେ ଟଙ୍କା ଉଠାଇବା ସୀମାକୁ ବଢାଇଦେଇଛି ବ୍ୟାଙ୍କ । ଏଣିକି ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ । ସେହିପରି ୱିଥଡ୍ରାଲ୍ ଫର୍ମ ମାଧ୍ୟମରେ ଏକ ସେଭିଙ୍ଗସ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ସୀମାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।