ଆମେରିକାକୁ ଚୀନ୍ ଚିନ୍ତା । ରାଷ୍ଟ୍ରପତି ଜୋ-ବାଇଡେଡ଼ କହିଲେ, ନିଜର ଭିତିଭୂମି ବିକାଶ ଖର୍ଚ୍ଚକୁ ନବଢ଼ାଇଲେ ଆମେରିକାର ଦାନା ଛଡ଼ାଇନେବ ଚୀନ୍ । ସର୍ତକ କରାଇଲେ ରାଷ୍ଟ୍ରପତି

194

ଆମେରିକା ଯଦି ନିଜର ଭିତ୍ତିଭୂମି ବିକାଶ ଖର୍ଚ୍ଚକୁ ନ ବଢ଼ାଏ, ତେବେ ଚୀନ୍‌ ଆମଠାରୁ ଆମ ଦାନା ଛଡ଼େଇନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି । ଆମେରିକାରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁବାର ସିନେଟରଙ୍କ ସହ ଆଲୋଚନା ବେଳେ ବାଇଡେନ୍‌ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି । ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଆର୍ଥିକ ନୀତି ବିରୋଧରେ ତୀବ୍ର ପ୍ରତରିକ୍ରିୟା ରଖି ବାଇଡେନ୍‌ ଏପରି ସତର୍କ କରାଇବା ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଥାଉ କି, ଚୀନ୍‌ ବିଶ୍ବ ଅର୍ଥନୀତିରେ ନିଜର ଏକଚାଟିଆ କାରବାର ଜାରି ରଖିବାକୁ ବଡ଼ ଷଡ଼ଯନ୍ତ୍ର କରିଛି ବୋଲି ଆମେରିକୀୟ ବିଶେଷଜ୍ଞଙ୍କ ରିପୋର୍ଟ ପରେ ବାଇଡେନ୍‌ ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି । ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାର ମୁକାବିଲା ପରିସ୍ଥିତି ଉଭୟ ଦେଶ ପାଇଁ ବଡ଼ ସଙ୍କଟ ଆଣିବ ବୋଲି କହିଥିଲେ । ତେବେ ଆମେରିକାର ପରିବେଶ ଓ ପୂର୍ତ୍ତ ବିଭାଗର କର୍ମକର୍ତ୍ତାଙ୍କ ସହ ଆଚୋଚନା କରି ବାଇଡେନ୍‌ କହିଥିଲେ ଯେ ଭିତ୍ତିଭୂମି ବିକାଶ ପାଇଁ ଆମେ ଆଗକୁ ନ ବଢ଼ିଲେ ଚୀନ୍‌ ଆମ ଭାଗ ମାଡ଼ିବସିବ । ସେମାନେ ପରିବେଶ, ପରିବହନ ଏବଂ ସାମଗ୍ରିକ ଭାବେ ବିଭିନ୍ନ ପ୍ରକଳ୍ପରେ କୋଟି କୋଟି ଡଲାର ଖର୍ଚ୍ଚ କରୁଛନ୍ତି। ସୁତରାଂ ଆମକୁ ମଧ୍ୟ ଏ ଦିଗରେ ଉପରକୁ ଉଠିବାକୁ ହେବ ବୋଲି ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି ।