ଏୟାରଫୋର୍ସ ୱାନ ବିମାନ ଚଢିଲା ବେଳେ ଝୁଣ୍ଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଭିଡିଓ ଭାଇରାଲ୍…

208

କନକ ବ୍ୟୁରୋ: ବିମାନ ସିଡ଼ିରେ ଝୁଣ୍ଟିଲେ ବାଇଡେନ୍ । ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଆଟଲାଣ୍ଟାରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନରେ ବସିବା ପାଇଁ ସଂଲଗ୍ନ ଶିଡ଼ିର ପାହାଚ ଚଢ଼ିଲା ବେଳେ ତିନି ତିନି ଥର ଝୁଣ୍ଟିପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଭୀଷଣ ପବନ ବହୁଥିବା ପାଗ ଯୋଗୁଁ ସେ ଏପରି ଭାରସାମ୍ୟ ହରାଇ ବସିଥିଲେ ଏବଂ ସେ ଏବେ ଶତ ପ୍ରତିଶତ ସୁସ୍ଥ ଓ ସ୍ୱାଭାବିକ ଅଛନ୍ତି ବୋଲି ଉକ୍ତ ଘଟଣା ପରେ ହ୍ୱାଇଟହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆନ୍ତର୍ଜତୀୟ ଗଣମାଧ୍ୟମରେ ଜୋରସୋରରେ ପ୍ରସାରିତ ହୋଇଥିବା ଉକ୍ତ ଭିଡିଓରେ ବାଇଡେନ୍‌ ଏୟାର ଫୋର୍ସ ୱାନ୍ ବିମାନ ସଂଲଗ୍ନ ଶିଡ଼ିରେ ଉଠିଲା ବେଳେ କିଛି ପାହାଚ ପରେ ଗୋଡ଼ ଛନ୍ଦି ହୋଇ ଖସି ପଡ଼ିଥିଲେ। ତେବେ ସେ ପୁଣି ଛିଡ଼ା ହୋଇ ଆଗକୁ ପାହାଚ ଚଢ଼ିବା ଆରମ୍ଭ କରିଥିଲେ। ଦ୍ୱିତୀୟ ଥର ପାଇଁ ସେ ଖସି ପଡୁଥିବା ବେଳେ ନଇଁପଡ଼ି ଶିଡ଼ିର ରେଲିଂ ଧରି ନିଜକୁ ସମ୍ଭାଳି ନେଇଥିଲେ । ଏଥର ଗୋଡ଼ ସାମାନ୍ୟ ଏପଟସେପଟ ହେଉଥିବା ସତ୍ତେ୍ୱ ସେ ବାକି ପାହାଚ ଚଢ଼ି ବିମାନ ଭିତରେ ପଶିଥିଲେ ।

ତେବେ ବାଇଡେନ୍‌ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ହ୍ୱାଇଟହାଉସ୍‌ ଗଣମାଧ୍ୟମ ଉପ ସଚିବ କାରିନ୍‌ ଜିନ୍‌ ପେରି ସ୍ପଷ୍ଟ କରିବା ସହ ବାହାରେ ଏତେ ଜୋର୍‌ରେ ପବନ ହେଉଥିଲା ଯେ ସେ ନିଜେ ବି ଖସିପଡୁଥିଲେ ବୋଲି ସଫେଇ ଦେଇଛନ୍ତି। ସୂଚନା ଥାଉ କି, ଆମେରିକାର ଶାସନରେ ଥିବା ସବୁଠୁ ବୟସ୍କ ରାଷ୍ଟ୍ରପତି ୭୮ ବର୍ଷୀୟ ବାଇଡେନଙ୍କର ଗତ ନଭେମ୍ବରରେ ଗୋଡ଼ ଭାଙ୍ଗି ଯାଇଥିଲା।