ଋଷ ରାଷ୍ଟ୍ରପତିଙ୍କୁ ପୁଣିଥରେ ଯୁଦ୍ଧ ଅପରାଧୀ କହିଲେ ବାଇଡେନ୍ : ପୁଟିନଙ୍କ ବିରୋଧରେ ତଦନ୍ତ କରି ଲାଗୁ ହେବ ନୂଆ ପ୍ରତିବନ୍ଧକ

84

କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପୁଣିଥରେ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପୁଟିନଙ୍କୁ ପୂର୍ବରୁ ସେ ଯୁଦ୍ଧ ଅପରାଧୀ ବୋଲି କହିଥିଲେ । ଏହାକୁ ନେଇ ସେ ସମାଲୋଚିତ ହୋଇଥିଲେ ବୋଲି କହିଛନ୍ତି । ଏହାପରେ ସେ ଆଉଥରେ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି । ୟୁକ୍ରେନର ରାଜଧାନୀ କିଭ ପାଖରେ ଥିବା ବୁଚା ସହରରେ କୁଢ କୁଢ ଶବ ଉଦ୍ଧାର ହୋଇଛି । ଏଯାବତ ୪୧୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ମେୟର ଏବଂ ତାଙ୍କ ପରିବାର ରହିଛନ୍ତି ।

ଏମାନଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି ବୋଲି ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଆଗକୁ ଆହୁରି ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆଇଏସଆଇଏସ ଠାରୁ ଅଧିକ ବର୍ବର କାଣ୍ଡ ଘଟାଇଛନ୍ତି ଋଷ ସେନା । ଏହାକୁ ନେଇ ୟୁରୋପୀୟ ଦେଶ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାଇଡେନ କହିଛନ୍ତି, ଯୁଦ୍ଧ ପାଇଁ ଆମେରିକା ୟୁକ୍ରେନକୁ ସମସ୍ତ ଅସ୍ତ୍ରଶସ୍ତ୍ର ଯୋଗାଇବ । ପୁଟିନଙ୍କ ବିରୋଧରେ ତଦନ୍ତ ହେବ । ସମସ୍ତ ତଥ୍ୟ ଏବଂ ପ୍ରମାଣ ଆଧାରରେ ପୁଟିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆବଶ୍ୟକ ପଡିଲେ ପୁଟିନଙ୍କ ବିରୋଧରେ ଆହୁରି ପ୍ରତିବନ୍ଧକ ଲଗାଯିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

ଜାଣିବାକୁ ମିଳିଛି ଯେ ଋଷ ସେନା ବେସମେଣ୍ଟ୍‌ରେ ଲୁଚିଥିବା ଲୋକଙ୍କୁ ବଳପୂର୍ବକ ବାହାରକୁ ଆଣି ସେମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କିବ୍‌ଠାରୁ ୫୦ କିମି ପଶ୍ଚିମ ମୋତିଜିନ୍‌ ସହରର ମେୟର, ତାଙ୍କ ସ୍ବାମୀ ଏବଂ ପୁଅକୁ ଅତି ନିର୍ମମ ଭା‌ବେ ହତ୍ୟା କରାଯାଇଛି । ମେୟରଙ୍କ ହାତ ପଛପଟୁ ବନ୍ଧା ଯାଇଥିଲା ଏବଂ ତାଙ୍କ ଆଖିରେ ଏକ ପଟି ବନ୍ଧା ଯାଇଥିଲା । ୟୁକ୍ରେନ୍‌ ଉପ ପ୍ରଧାନମନ୍ତ୍ରୀ ମଧ୍ୟ ମେୟରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି । ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ ପରାମର୍ଶଦାତା ଓଲେସ୍କି ଆରେଷ୍ଟାବିଚ ଅନ୍ୟ ଏକ ଭୟଙ୍କର ଅଭିଯୋଗ ଆଣିଛନ୍ତି ।

ଓଲେସ୍କି କହିଛନ୍ତି, ଋଷ ସୈନିକ ମହିଳାଙ୍କୁ ଦୁଷ୍କର୍ମ କରିବାପରେ ସେମାନଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କ ଶରୀରକୁ ଜାଳି ଦେଇଛନ୍ତି । ରାସ୍ତାରେ ପଡ଼ି ରହିଥିବା ମୃତଦେହକୁ ସେ ହରର୍‌ ମୁଭିର ଦୃଶ୍ୟ ବୋଲି କହିଛନ୍ତି । ବୁଚାରୁ ଏଭଳି ହୃଦୟ ବିଦାୟକ ଦୃଶ୍ୟ ଦେଖିବାକୁ ମିଳିବାପରେ ୟୁରୋପୀୟ ନେତାମାନେ ଏହାର କଡ଼ା ନିନ୍ଦା କରିଛନ୍ତି । ସେମାନେ ଋଷ ବିରୋଧରେ ଅଧିକ କଟକଣା ଲଗାଇବାପାଇଁ ଦାବି କରିଛନ୍ତି । କିନ୍ତୁ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବୁଚାରୁ ଏଭଳି ଦୃଶ୍ୟ ଦେଖାଇ ୟୁକ୍ରେନ୍‌ ସରକାର ଅଧିକ ଉତ୍ତେଜନା ବଢ଼ାଉଛନ୍ତି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି । ଋଷ ବିଦେଶ ମନ୍ତ୍ରୀ ସେର୍ଗି ଲାଭରୋଭ କହିଛନ୍ତି, ବୁଚାରେ ଯାହା ଦେଖିବାକୁ ମିଳୁଛି ତାହା ମିଥ୍ୟା । ଋଷକୁ ନୀଚ କରିବାପାଇଁ ୟୁକ୍ରେନ୍‌ ଏଭଳି କରିଛି ବୋଲି ସେ କହିଛନ୍ତି ।