ରାଜଧାନୀରେ ଡରାଇଲାଣି ଡେଙ୍ଗୁ, ଚିହ୍ନଟ ହେଲେଣି ୩୯୧ ଆକ୍ରାନ୍ତ : ଶୈଳେଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ପଜିଟିଭ

133

କନକ ବ୍ୟୁରୋ : ରାଜଧାନୀରେ ଡରାଇଲାଣି ଡେଙ୍ଗୁ । ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ୩୯୧ଜଣ ଆକ୍ରାନ୍ତ । ଶୈଳେଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଡେଙ୍ଗୁ କ୍ରମଶଃ ଅଣାୟତ ହେବାରେ ଲାଗିଛି । ପ୍ରତିଦିନ ୩୦ରୁ ୪୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

୧୫ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ଯାଇ ୪୦୦ ପାଖାପାଖି ପହଂଚିଲାଣି । ହେଲେ ଏପର୍ଯ୍ୟନ୍ତ ପ୍ରଶାସନର ନିଦ ଭାଙ୍ଗିନି । ଡେଙ୍ଗ ସଂକ୍ରମଣ ରୋକିବା ଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ସେପଟେ ବିଏମସି ପକ୍ଷରୁ କୁହଯାଇଛି ଡେଙ୍ଗୁ ମଶା ଜନ୍ମ ହୋଇଥିବା ୪୬୪ଟି ଜାଗା ଚିହ୍ନଟ ହୋଇଛି । ମଶା ଜନ୍ମ ହୋଇଥିବା ୧ହଜାର ୯୩ଟି ସ୍ଥାନକୁ ନଷ୍ଟ କରାଯାଇଛି ।

ଡେଙ୍ଗୁକୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା ଜାରି ରହିଛି । ସ୍ବତନ୍ତ୍ର ଗାଡ଼ି ଘରକୁ ଘର ବୁଲିବା ସହ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବଣ୍ଟା ଯାଉଛି । ୫୦୦ରୁ ଊର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ସର୍ବେକ୍ଷଣ କାମରେ ଲାଗିଥିବା ବେଳେ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛସାଥୀ, ହେଲ୍ଥ ଅଫିସର ମିଶି ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଘରକୁଘର ବୁଲିବା ବେଳେ ଏହି ଟିମ୍‌ ବିଚିତ୍ର ପରିସ୍ଥିତି ଲକ୍ଷ୍ୟ କରିଛି ।

କେତେକ ଲୋକ ସଉକ୍‌ରେ ଲଗାଇଥିବା ଫୁଲକୁଣ୍ଡରେ କଣା ନଥିବାରୁ ସେଗୁଡ଼ିକ ମଶାଙ୍କ ବଂଶବୃଦ୍ଧିରେ ସାହାଯ୍ୟ କରୁଛି । ସେହିଭଳି କେତେକ ଗ୍ୟାରେଜ୍‌ରେ ପଡ଼ିଥିବା ଦଦରା ଟାୟାର ଭିତରେ ବହୁଦିନ ଧରି ପାଣି ଜମିଥିବାରୁ ମଶା ଲାର୍ଭା ଚିହ୍ନଟ ହୋଇଛନ୍ତି । କେତେକ ନିଜ ବାଡ଼ିରେ ପକାଇଥିବା ପଇଡ଼ ଖୋଳରେ ମଧ୍ୟ ମଶା ଲାର୍ଭା ଚିହ୍ନଟ ହୋଇଛି ।