ବର୍ଷା ପାଣିରେ ଉବୁଟୁବୁ ହେଲା ରାଜଧାନୀ ରାସ୍ତା: ବର୍ଷା ଉପରେ ରୁଷିଲେ, ବିରକ୍ତ ହେଲେ ରାଜଧାନୀବାସୀ…

362

କନକ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ମାଟି ଛୁଇଁଲା ମୌସୁମୀ । ମୌସୁମୀର ପ୍ରଥମ ସ୍ପର୍ଶ ପାଇ ପୁଲକିତ ହେଲା ଓଡ଼ିଶା । ସପ୍ତାହେ ବିଳମ୍ବରେ ପହଁଚି ଥିଲେ ମଧ୍ୟ ମାଟିକୁ ଛୁଇଁବା ମାତ୍ରେ ସାରା ଓଡିଶାକୁ ଓଦା କରିଛି ମୌସୁମୀ ବର୍ଷା । ଡହଡହ ଖରା ପରେ ବର୍ଷାର ପହିଲି ପୁଲକ ପାଇ ମହକି ଯାଇଛି ମାଟି, ମହକି ଯାଇଛି ଛାତି । ପ୍ରଥମ ବର୍ଷାର ପ୍ରଥମ ଛୁଆଁ ପାଇବା ପାଇଁ ସମସ୍ତେ ଛାତ ତଳୁ ବାହାରି ଆସି ଆକାଶକୁ ଛାତି ପତେଇ ଛିଡା ହୋଇଥିଲେ । ପ୍ରେମର ମୌସମକୁ ଅନୁଭବ କରିବାକୁ ଝିପାଝିପା ବର୍ଷାରେ ମନ ଭରି ଭିଜିଥିଲେ ।

ତେବେ ଝିପାଝିପା ବର୍ଷା ସମସ୍ତଙ୍କ ମନରେ ଫୁର୍ତ୍ତି ଆଣିଥିବା ବେଳେ ଅନେକଙ୍କ ପାଇଁ ଏହା କଷ୍ଟର କାରଣ ପାଲଟିଛି । ଦୀର୍ଘ ଦିନରୁ ବର୍ଷାକୁ ଅପେକ୍ଷା କରିଥିବା ମଣିଷ ବର୍ଷା ଆସିବା ପରେ ଦହଗଞ୍ଜ ହୋଇଛି । ମୌସୁମୀ ପ୍ରଭାବରେ ବର୍ଷାର ପରିମାଣ ବଢିବା ଯୋଗୁଁ ରାସ୍ତାଘାଟ, ଗଳିକନ୍ଦି ଓ ବଜାର ମଝିରେ ପାଣି ଛିଡା ହୋଇଛି । ଗାଁ ଗହଳି ଅପେକ୍ଷା ଅଧିକ ହନ୍ତସନ୍ତ ହୋଇଛି ସହର । ସହରର ମୁଖ୍ୟ ରାସ୍ତାରେ ବର୍ଷା କାରଣରୁ ପାଦେ ପାଦେ ପାଣି ଛିଡା ହୋଇଛି । ଡ୍ରେନେଜ ବ୍ୟବସ୍ଥା ବିଗିଡିଥିବାରୁ ଡ୍ରେନ ପାଣି ରାସ୍ତା ଉପରକୁ ମାଡି ଆସୁଛି । ଯାହା ଫଳରେ ଲୋକେ ଯିବା ଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବର୍ଷା ହେବା ପରେ ବିଗିଡିଛି ରାଜଧାନୀର ସ୍ଥିତି । ମୌସୁମୀ କାରଣରୁ ବର୍ଷା ଟିକେ ବଢିବାରୁ ବେହାଲ ହୋଇଛି ରାଜଧାନୀର ରାସ୍ତା । ରାଜଧାନୀର ଚିକିଣିଆ ରାସ୍ତା ସହ ଖାଲଖମା ରାସ୍ତା ମଧ୍ୟ ବର୍ଷା କାରଣରୁ ଅଧା ବୁଡା ଦେଇଛି । ଫଳରେ ଯିବା ଆସିଲା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭୁବନେଶ୍ୱରର ମୁଖ୍ୟ ମୁଖ୍ୟ ଛକ ଆଚାର୍ଯ୍ୟବିହାର, ଜୟଦେବ ବିହାର ଓ ବାଣୀବିହାର ସାମ୍ନା ରାସ୍ତାରେ ବର୍ଷାର ପ୍ରବଳ ସୁଅ ଚାଲିଥିଲା । ଗାଡି ଯିବା ସମୟରେ ରାସ୍ତାରେ ଚାଲୁଥିବା ଅସନା ପାଣି ଲୋକଙ୍କ ଉପରେ ଛିଟିକି ପଡୁଥିଲା । ଯାହା ଲୋକଙ୍କ ଅସନ୍ତୋଷ ଆଉ ବର୍ଷା ଉପରେ ବିରକ୍ତିର ଭାବକୁ ସ୍ପଷ୍ଟ ଚିତ୍ରିତ କରୁଥିଲା । ବର୍ଷାକୁ ଚାତକ ପରି ଚାହିଁ ରହିଥିବା ଲୋକେ ବର୍ଷା ହେବା ପରେ ବିରକ୍ତିର ଚାହାଣୀରେ ଚାହିଁଛନ୍ତି ।

ତେବେ ମୌସୁମୀର ପ୍ରଥମ ଛୁଆଁରେ ଉପକୂଳ ଓଡ଼ିଶାର ୧୧ଟି ଯାକ ଜିଲ୍ଲା – ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ବର୍ଷା ହୋଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଂଜରେ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝରର କିଛି ଅଂଚଳରେ ମଧ୍ୟ ପ୍ରଥମ ଦିନରେ ବର୍ଷା ହୋଇଛି । କିଛି ସ୍ଥାନର ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପ୍ରଥମ ଦିନରେ ୨୨ଟି ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ପାଣିପାଗ ଅନୁକୂଳ ଥିବାରୁ ଆସନ୍ତା ୪୮ ଘଂଟା ଭିତରେ ସାରା ରାଜ୍ୟରେ ପହଁଚିଯିବ ମୌସୁମୀ ବାୟୁ ।