ରାଜଧାନୀରେ ଅସହ୍ୟ ତାତି ! ମାର୍ଚ୍ଚ ମାସ ଆରମ୍ଭ ହୋଇନି ୩୯ ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ସାଧାରଣ ଲୋକେ ଅସ୍ତବ୍ୟସ୍ତ

111

କଥାରେ ଅଛି, ମାଘ ମାସରେ ବାଘ ଭଳି ଶୀତ ଅନୁଭୂତ ହୁଏ । କିନ୍ତୁ ଶୀତ ତ ଦୂରର କଥା, ଏବେ ରାଜ୍ୟରେ ପାରଦ ୩୯ ପାର୍‌ ହୋଇଗଲାଣି । ଗତ କିଛି ଦିନ ହେବ ଖରାର ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ ୧୦ଟାରୁ ଘରୁ ବାହାରିବା  ମୁସ୍କିଲ୍‌ ହୋଇଗଲାଣି । ପାରଦ ଯେଉଁ ଗତିରେ ଉପରକୁ ଚଢ଼ୁଛି, ଦିନେ ଦୁଇଦିନ ମଧ୍ୟ‌ରେ ୪୦ ଡିଗ୍ରୀ ପାର୍‌ ହୋଇଯିବା ବିଚିତ୍ର ନୁହେଁ । ତେବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଲଗାତାର ୪ ଦିନ ଧରି ରେକର୍ଡ କରିଆସୁଥିବା ରାଜଧାନୀ ଭୁବନେଶ୍ୱର ଆଜି ଦେଶର ରେକର୍ଡ ବି ଭାଙ୍ଗି ଦେଇଛି। ଗୁରୁବର ଦିନ ଏଠାରେ ଦେଶର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୪ରୁ ୫ଦିନରେ ତାପମାତ୍ରା ଆହୁରି ବଢ଼ିବ । ‌ସେହିଭଳି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । କିନ୍ତୁ ଆଶ୍ବସ୍ତିକର ଖବର ହେଲା, ସର୍ବନିମ୍ନ ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଅର୍ଥାତ୍‌ ରାତିରେ ବିଶେଷ ଗରମ ଅନୁଭୂତ ହେବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କେନ୍ଦ୍ରର ସୂଚନା ମୁତାବକ, ଏହି ସମୟରେ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ସ୍ବାଭାବିକ ତାପମାତ୍ରା ୩୨ରୁ ୩୩ ଡିଗ୍ରୀ ମଧ୍ୟରେ ରହିବା କଥା । କିନ୍ତୁ ଏବେ ୬.୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ସେହିଭଳି ରାତିର ସର୍ବନିମ୍ନ ତାପମାତ୍ରା ୨୦ରୁ ୨୧ ଡିଗ୍ରୀ ମଧ୍ୟରେ ରହିବା କଥା। କିନ୍ତୁ ଏବେ ଏହା ୧୭ ଡିଗ୍ରୀ ରହିଛି । ଦିନ ଓ ରାତିର ତାପମାତ୍ରାରେ ଏଭଳି ବଡ଼ ତାରତମ୍ୟ ପାଣିପାଗ ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ କରିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଆହୁରି କହିଛି ଯେ ଚଳିତବର୍ଷ ଗ୍ରୀଷ୍ମପ୍ରବାହ ରାଜ୍ୟରେ ଶୀଘ୍ର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ‌ଫେବ୍ରୁଆରି ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ । ଆସନ୍ତା ୪ରୁ ୫ ଦିନ ଭିତରେ ରାଜ୍ୟର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । ଫଳରେ ମାର୍ଚ୍ଚ ଆରମ୍ଭରୁ ରାଜ୍ୟ‌‌‌ର ତାପମାତ୍ରା ୪୦ ଅତିକ୍ରମ କରିପାରେ ।