ଖୋଲିଲା ଲିଙ୍ଗରାଜ ମନ୍ଦିର । ଆଜି ସେବାୟତ ପରିବାର କରୁଛନ୍ତି ଦର୍ଶନ । ମନ୍ଦିର ନିକଟରେ କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା ।

101

କନକ ବ୍ୟୁରୋ : କରୋନା କଟକଣା ପରେ ଆଜିଠାରୁ ଖୋଲଛି ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ ପରିବାରଙ୍କୁ ମିଳୁଛି ଦର୍ଶନ ସୁଯୋଗ । କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ସେବାୟତ ପରିବାରଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଉଛି ।

ସେପଟେ ପୁରୀ ରେ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୁରୀ ବାସୀ । ସେହିପରି ଆସନ୍ତା ଜାନୁଆରୀ ୩ ତାରିଖରୁ ସଂବଲପୁରରେ ଖୋଲିବ ମା ସମଲେଶ୍ୱରୀଙ୍କ ମନ୍ଦିର । ଜାନୁଆରୀ ୩ରୁ ୭ ତାରିଖ ଯାଏଁ କେବଳ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ସଂବଲପୁରବାସୀ ।

କରୋନା କଟକଣା ପରେ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଆଉ ଦର୍ଶନ ଆଗରୁ ଦେବାକୁ ପଡୁଛି କରୋନା ଟେଷ୍ଟ । ଏହି ପରୀକ୍ଷାରେ ପାସ୍ କଲେ ସେବାୟତଙ୍କ ପରିବାରକୁ ମିଳିବ ଦର୍ଶନର ସୁଯୋଗ । କୋଭିଡ୍ ପରୀକ୍ଷା ପାଇଁ ମନ୍ଦିର ବାହାରେ ସ୍ୱତନ୍ତ୍ର ଭାବରେ ଷ୍ଟଲ ଖୋଲିଛି ବିଏମସି । ଦୀର୍ଘ ୯ ମାସର ବ୍ୟବଧାନ ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଭକ୍ତ । ଆସନ୍ତା ୩୧ ତାରିଖ ଯାଏଁ ଏହି ପରି ସେବାୟତଙ୍କ ପରିବାର ଲିଙ୍ଗରାଜରେ ଦର୍ଶନ କରିପାରିବେ ।

ଡିସେମ୍ୱର ୨୭ରୁ ୩୧ ସେବାୟତଙ୍କୁ ମିଳିବ ଦର୍ଶନ ସୁଯୋଗ
ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର
ଜାନୁଆରୀ ୩ରୁ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ
ଜାନୁଆରୀ ୬ ପରେ ଭୁବନେଶ୍ୱର ବାହାର ଲୋକ କରିପାରିବେ ଦର୍ଶନ
ଦର୍ଶନ ପାଇଁ ଦେଖାଇବାକୁ ପଡିବ କୋଭିଡ୍ ନେଗେଟିଭ୍ ରିପୋର୍ଟ

ସେପଟେ ପୁରୀରେ ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ରବିବାର ୪, ୧୩, ୧୬, ୧୮, ୨୦ ନଂ ୱାର୍ଡ ବାସିନ୍ଦା ସାଙ୍ଗରେ ପରିଚୟ ପତ୍ର ଆଣି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ବ୍ୟାରିକେଡରେ ଆସିବା ପରେ ଟୋକନ୍ ଯାଂଚ, କିଓସ୍କ ମାଧ୍ୟମରେ ଫଟୋଗ୍ରାଫି ପରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ପୁରୀ ବାସୀଙ୍କ ପରି ପୁରୀରେ ରହୁଥିବା ଭଡାଟିଆ ଓ କର୍ମଜୀବୀଙ୍କୁ ବି ମିଳିବ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ । ଘର ମାଲିକ କିଂବା ନିଯୁକ୍ତି କରୁଥିବା ସଂସ୍ଥାର ପ୍ରମାଣ ପତ୍ର ସାଙ୍ଗରେ ଆଣିବାକୁ ପଡିବ ବୋଲି କହିଛି ପ୍୍ରଶାସନ । ତେବେ ଏନେଇ ଦର୍ଶନ ତାରିଖ ଘୋଷଣାକୁ ଅପେକ୍ଷା ।