ଚଳିତ ଥର ଜମିବ ଖଣ୍ଡଗିରି କୁମ୍ଭମେଳା ! ୫ ଦିନ ଧରି ଚାଲିବ ମହୋତ୍ସବ

73

କନକ ବ୍ୟୁରୋ : ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା । ଯାତ୍ରା ମହାସମର ସହ ତାଳ ଦେଇ ମଞ୍ଚ ଦୁଲୁକାଇବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ । ଖଣ୍ଡଗିରି ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଚଳିତ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଏହି ମହୋତ୍ସବ । ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ପ୍ରସିଦ୍ଧ ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟର ଝଙ୍କାରରେ ଖଣ୍ଡଗିରି ମେଳା ରଙ୍ଗିନ୍ ହୋଇଉଠିବ । ଏ ନେଇ ବିଏମସି ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁସାରେ ସ୍ଥାନୀୟ କର୍ପୋରେଟର ମାନଙ୍କ ଅନୁରୋଧ କ୍ରମେ ବିଏମସି ପକ୍ଷରୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁରୋଧ କରାଯାଇଥିଲା । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଭଳି କାର୍ଯ୍ୟକ୍ରମ ପାଇଁ ସମ୍ମତି ଜଣାଇବା ପରେ ଉଭୟ ବିଏମ୍ସି ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହାକୁ ଆୟୋଜନ କରିବେ ବୋଲି ଆପାତତଃ ସ୍ଥିର ହୋଇଛି। ଖଣ୍ଡଗିରି-ଉଦୟଗିରି ମହୋତ୍ସବ ନାମରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟଟନ ବିଭାଗର ସ୍ଥାନୀୟ ବ୍ୟାଖାନ କେନ୍ଦ୍ରରେ ଆୟୋଜନ କରାଯିବ । ତେଣୁ ଏବେଠାରୁ ବ୍ୟାଖ୍ୟାନ କେନ୍ଦ୍ରରେ ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି ।

ମହୋତ୍ସବ ପାଇଁ ଏହି କେନ୍ଦ୍ରକୁ ଚକାଚକ୍ କରାଯାଉଛି । ଖଣ୍ଡଗିରି ମେଳା ୨୪ ତାରିଖରୁ ଆରମ୍ଭ ହେଉଥିବାବେଳେ ଏହି ମହୋତ୍ସବ ୨୫ ତାରିଖରୁ ଆରମ୍ଭ ହେବ । ଓଡ଼ିଶା ସମେତ ଆସାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ତାମିଲନାଡୁ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ବାହାରର କଳାକାରମାନେ ଶାସ୍ତ୍ରୀୟ ନୃତ୍ୟ ସହ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିବେ ।

ଉଲ୍ଲେଖଯୋଗ୍ୟ ପୂର୍ବରୁ ଖଣ୍ଡଗିରି ମେଳାକୁ ସ୍ଥାନୀୟ ପାନ୍ଥିକାରେ ଆୟୋଜିତ ହେଉଥିବା ଖାରବେଳ ମହୋତ୍ସବ ବେଶ୍ ଆକର୍ଷଣୀୟ କରିଥିଲା । ମାତ୍ର ଗତ ପ୍ରାୟ ୫ ବର୍ଷ ହେଲା ଏହି ମହୋତ୍ସବ ବନ୍ଦ ହୋଇଯାଇଛି । ତେଣୁ ଖଣ୍ଡଗିରି ମେଳା ଏକପ୍ରକାର ଚମକ ହରାଇଥିଲା ବୋଲି ସ୍ଥାନୀୟ ଲୋକେ ମନେ କରୁଥିଲେ । ତେବେ ଚଳିତବର୍ଷ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ପୁଣି ଖଣ୍ଡଗିରି ମେଳାର ଚମକ ଫେରାଇ ଆଣିବ ବୋଲି ଲୋକେ ବେଶ୍ ଉତ୍ସାହିତ ଅଛନ୍ତି ।