ୱାଇଫାଇ ଜୋନ୍ ହେଲା ଭୁବନେଶ୍ୱର ! ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବା ସହ ସହରକୁ ସ୍ମାର୍ଟ କରିବା କ୍ଷେତ୍ରରେ ନୂଆ ପଦକ୍ଷେପ । ଅଧିକ ସ୍ମାର୍ଟ ହେବ ରାଜଧାନୀ ଭୁବନେଶ୍ୱର ଏବଂ ଓଡ଼ିଶାର ପ୍ରମୂଖ ସହର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

191

କନକ ବ୍ୟୁରୋ: ଆଜିଠାରୁ ୱାଇଫାଇ ସହରରେ ପରିଣତ ହେଲା ସ୍ମାର୍ଟ ସିଟି ଭୁବନେଶ୍ୱର । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ ଏବଂ ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେବା ବିଏମସି ଅଞ୍ଚଳରେ ଲୋକଙ୍କୁ ମାଗଣାରେ ମିଳିବ । ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟ୍ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲକୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ। ଏବେ ଦିନକୁ ମାଗଣାରେ ୨୫୦ ଏମ୍ବି ଇଣ୍ଟରନେଟ୍ ଉପଲବ୍ଧ ହେବ। ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ।

ସୂଚନା ଅନୁଯାୟୀ, ପୂରା ରାଜଧାନୀକୁ ୱାଇଫାଇ ସହର କରିବା ପାଇଁ ୫୦୦ଟି ୱାଇଫାଇ ସ୍ପଟ୍ ନିର୍ମାଣ କରାଯିବ । ଏଥିରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଣ୍ଟା ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବ। ଏହି ସମୟରେ ସେ ୨ଏମ୍ବିପିଏସ୍ ସ୍ପିଡରେ ୫୦ ଏମ୍ବି ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ। ଗୋଟିଏ ୱାଇଫାଇ ହଟସ୍ପୋଟ ଅଧୀନରେ ସର୍ବାଧିକ ୧୫୦ ଜଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଏହାସହ ଆସନ୍ତା ଦିନ ମାନଙ୍କରେ କଟକ,ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଏବଂ ପୁରୀ ଭଳି ସହରମାନଙ୍କରେ ମାଗଣା ଇଣ୍ଟରନେଟ୍ ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।