ଶିକ୍ଷାର ସଉଦା କରି ଶିକ୍ଷୟିତ୍ରୀ ମାଲେମାଲ୍ ? ସିଟି ଟ୍ରେନିଂ ଶିକ୍ଷୟିତ୍ରୀଙ୍କ ସମ୍ପତ୍ତିଙ୍କ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଭିଜିଲାନ୍ସ । କେଉଁଠୁ ଆସିଲା ଏତେ ଟଙ୍କା ?

9,111

କନକ ବ୍ୟୁରୋ: ଅଳ୍ପ ବର୍ଷ ହେଲା ଚାକିରି ହେଲେ ଅଚଳା ଅଚଳ ସମ୍ପତ୍ତି । ୧୦ ବର୍ଷରେ ଚାକିରି କରି କୋଟିପତି ବନିଛନ୍ତି ଶିକ୍ଷୟିତ୍ରୀ । ସ୍କୁଲରେ ଶିକ୍ଷକତା କରି ଜଣେ କୋଟିପତି ହୋଇଥିବ ହୁଏତ ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ ଭିଜିଲାନ୍ସ ରେଡ ବେଳେ ଯେଉଁ ସମ୍ପତ୍ତି ତାଲିକା ଆସିଛି ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । କାରଣ ରାଜଧାନୀରେ ୯ଟି ପ୍ଲଟ , ଦେଢ କୋଟିରୁ ଅଧିକ ଟଙ୍କା ବାହାରିଛି ଭୁବନେଶ୍ୱର ୟୁନିଟ ୬ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀ ତିଳୋତମା ମହାନ୍ତିଙ୍କ ପାଖରୁ ।

ତେବେ ତିଳୋତମାଙ୍କ ଏକକାଳୀନ ୩ ଟି ଘରେ ରେଡ କରିଥିଲା ଭିଜିଲାନ୍ସ । ଆଉ ଚଢାଉ ବେଳେ ୧୮ଟି ଏଲଆଇସି ବଣ୍ଡ୍, ରାଜଧାନୀରେ ୯ଟି ପ୍ଲଟ ଏବଂ ୨ଟି ଘର ମିଳିଥିଲା । ତେବେ ଜଣେ ସାଧାରଣ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କ ନିକଟରେ ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ଭିଜିଲାନ୍ସ ଖୋଳତାଡ କରୁଥିବା ବେଳେ ସିଟି ସାର୍ଟିଫିକେଟ କରାଇଦେବା ନାଁରେ ଏହି ଶିକ୍ଷୟିତ୍ରୀ ଜଣଙ୍କ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

ସେପଟେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଏଲଆଇସି ଏଜେଂଟ ଭାବେ କାମ କରନ୍ତି । ତେଣୁ ଦୁହିଁଙ୍କ ମାସିକ ରୋଜଗାରକୁ ଯଦି ଦେଖାଯାଏ, ତେବେ ବାର୍ଷିକ ଏତେ ଟଙ୍କା ରୋଜଗାର ହୋଇପାରିବା ଅସମ୍ଭବ । ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଶିକ୍ଷୟିତ୍ରୀ ଜଣଙ୍କ ଏତେ ଟଙ୍କାର ସମ୍ପତ୍ତି ଆଣିଲେ କୁଆଡେ । ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଭିଜିଲାନ୍ସ । ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଆଇନ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ ।