ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲା: କେନ୍ଦ୍ରକୁ ‘ସୁପ୍ରିମ୍’ ଝଟକା, ପୀଡ଼ିତଙ୍କୁ ଅତିରିକ୍ତ ସହାୟତା ଆବେଦନ ଖାରଜ

89

କନକ ବ୍ୟୁରୋ: ୧୯୮୪ ମସିହାର ବହୁଚର୍ଚିତ ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲାରେ ପୀଡିତ ଓ କେନ୍ଦ୍ରସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା । ସବୋର୍ଚ୍ଚ ନ୍ୟାୟାଳୟର ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ବଡ ଶୁଣାଣି କରିଛନ୍ତି । ୨୦୧୦ ମସିହାରେ କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା କ୍ୟୁରୋଟିଭ ଆବେଦନରେ ଆମେରେକୀୟ କମ୍ପାନୀ ୟୁନିଆନ କାବାଇଡ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ପୁନର୍ବାର ବିଚାର ପରିସରଭୁକ୍ତ କରିବା ପାଇଁ ଦର୍ଶାଯାଇଥିଲା । ସେହିପରି ପୀଡିତଙ୍କୁ କମ୍ପାନୀର ନୂଆ ଉତରାଧିକାରୀ ନିକଟରୁ ୭ ହଜାର କୋଟିରୁ ଅଧିକ ଟଙ୍କାର ଅତିରିକ୍ତ କ୍ଷତିପୂରଣ ଭରିବାକୁ ସବୋଚ୍ଚ ନ୍ୟାୟାଳୟରେ ଆବେଦନ ପତ୍ର ଦାଖଲ କରିଥିଲେ କେନ୍ଦ୍ର ସରକାର । କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତି ଏବେ ପୀଡିତାଙ୍କୁ ନିରାଶ କରିଛି ।

– ପୀଡିତଙ୍କୁ ୧୯୮୯ ମସିହାରେ ୟୁସିସି ତରଫରୁ ୭୧୫ କୋଟିର କ୍ଷତିପୂରଣ ଦିଆଯାଇଥିଲା
– ଅଧିକ କ୍ଷତିପୂରଣ ଦାବିରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତ

ସୁପ୍ରିମକୋର୍ଟଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ କୋର୍ଟଙ୍କ ନିକଟକୁ ଜଲଦି ଆସିବା ଦରକାର ଥିଲା ବୋଲି କୁହାଯାଇଛି । ସେହିପରି ରିଜର୍ଭ ବ୍ୟାଙ୍କ ନିକଟରେ ପୀଡିତଙ୍କ ପାଇଁ ରଖାଯାଇଥିବା ୫୦ କୋଟି ଟଙ୍କାକୁ କ୍ଷତିପୂରଣ ବାବଦରେ ଖର୍ଚ କରିବା ପାଇଁ କେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

୩୯ ବର୍ଷ ତଳର ଏହି ଭୟାବହ ଦୁର୍ଘଟଣାକୁ ବିଶ୍ୱର ସବୁଠାରୁ ବଡ଼ ଉଦ୍ୟୋଗିକ ଦୁର୍ଘଟଣା ରୂପେ ମନାଯାଏ । ୧୯୮୪ ମସିହା ଡିମେମ୍ବର ୨ ଓ ୩ ତାରିଖରେ ଭୋପାଳସ୍ଥିତ ୟୁନିଅନ କାର୍ବାଇଡ୍ ଫ୍ୟାକ୍ଟ୍ରିରୁ ମିଥାଇଲ ଆଇସୋସିଆନେଟ୍ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଆଉ ଶୋଇଥିବା ସମୟରେ ହିଁ ହଜାର ହଜାର ଲୋକ ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିଲେ । ଏଥିରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଲକ୍ଷାଧିକ ଲୋକ ଏହି ବିଷାକ୍ତ ଗ୍ୟାସ ଦ୍ୱାରା ପ୍ରଭାବିତ ହୋଇଥିଲେ । ପରବର୍ତୀ ପିଢି ଓ ପରିବେଶକୁ ମଧ୍ୟ ଭୀଷଣ କ୍ଷତି ପଂହଚିଥିଲା । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ୟୁସିସି ଅଧ୍ୟକ୍ଷ ୱାରେନ୍ ଆଣ୍ଡରସନ ଥିବାବେଳେ ସେ କିନ୍ତୁ କୋର୍ଟରେ ହାଜର ହୋଇନଥିଲେ । ଭୋପାଳ କୋର୍ଟ ତରଫରୁ ଆଣ୍ଡରସନଙ୍କ ବିରୋଧରେ ଦୁଇ ଦୁଇଥର ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲେ ମଧ୍ୟ ସେ ଗିରଫ ହୋଇପାରିନଥିଲେ ।

କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନରେ ଦର୍ଶାଯାଇଥିଲା କି ୧୯୮୯ ମସିହାରେ ୨ ଲକ୍ଷ ୫ ହଜାର ଲୋକଙ୍କୁ ଦୃଷ୍ଟିରେ ରଖି କ୍ଷତିପୂରଣ ସ୍ଥିର କରାଯାଇଥିଲା । କିନ୍ତୁ ଏବେ ତାହା ଅଢେଇ ଗୁଣ ବଢ଼ି ପୀଡିତଙ୍କ ସଂଖ୍ୟା ୫ ଲକ୍ଷ ୭୫ ହଜାରରେ ପଂହଚିଛି । କିନ୍ତୁ ଆମେରେକୀୟ କମ୍ପାନୀ ୟୁନିଆନ କାବାଇଡ କମ୍ପାନୀକୁ ଏବେ ‘ଡାଓ କେମିକାଲସ୍’ କିଣିଛି । ଆଉ ନୂଆ କମ୍ପାନୀ ପକ୍ଷରୁ ସବୋର୍ଚ୍ଚ ନ୍ୟାୟାଳୟଙ୍କ ନିକଟରେ ଟଙ୍କାଟିଏ ମଧ୍ୟ ଏହି ମାମଲାରେ ଦିଆଯିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା । ଯାହା ଏବେ ଭୋପାଳର ହଜାର ହଜାର ପୀଡିତାଙ୍କୁ ନିରାଶ କରିଛି ।