ପ୍ରିୟଙ୍କାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ : ପରିବାର ଲୋକଙ୍କ ପ୍ରତିକ୍ରିୟା…ଝିଅ-ଜ୍ୱାଇଁଙ୍କ ଭିତରେ ସବୁ ଭଲ ଥିଲା

1,839

କନକ ବ୍ୟୁରୋ : ପ୍ରିୟଙ୍କାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର ଲୋକ । କାହିଁକି ଜଗନ୍ନାଥ ତାଙ୍କୁ ମାରିଲା, ଅଭିଯୁକ୍ତଙ୍କ ସହ ମୃତ ପ୍ରିୟଙ୍କାଙ୍କର କି ପ୍ରକାର ସଂପର୍କ ଥିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହାରି ଭିତରେ ମୃତ ମହିଳାଙ୍କ ପରିବାର ଲୋକ କହିଛନ୍ତି, ଝିଅ-ଜ୍ୱାଇଁଙ୍କ ଭିତରେ ଖୁବ୍ ଭଲ ସଂପର୍କ ଥିଲା । ପରସ୍ପର ପରସ୍ପରକୁ ଖବ୍ ଭଲ ପାଆନ୍ତି ।

ଜଗନ୍ନାଥଙ୍କ ସହ ପ୍ରିୟଙ୍କାଙ୍କର କି ପ୍ରକାର ସଂପର୍କ ଥିଲା ତାହା ସେମାନଙ୍କୁ ଜଣା ନଥିବା କହିଛନ୍ତି । ଜେଜେଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ଉଭୟ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରାକେଶ ଶ୍ୱଶୁର ଘରକୁ ଯାଇଥିଲେ । ୮ ଦିନ ହେବ ଫେରିଥିବା ବେଳେ ପ୍ରିୟଙ୍କାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ସଂପର୍କୀୟ । ଭୁବନେଶ୍ୱରରେ ବ୍ୟବଚ୍ଛେଦ ପରେ ପ୍ରିୟଙ୍କାଙ୍କ ମୃତଦେହ ଗାଁକୁ ଯାଉଛି, ସେଠାରେ ଶେଷକୃତ୍ୟ ସଂପନ୍ନ କରାଯିବ ।

ତେବେ ପ୍ରିୟଙ୍କା ହତ୍ୟା ପୂର୍ବରୁ କଣ ଘଟିଥିଲା । ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡୁଛି ଜଗନ୍ନାଥ ସୋମବାର ସକାଳ ପ୍ରାୟ ସାଢେ ଦଶଟା ସମୟରେ ପ୍ରିୟଙ୍କା ଘରେ ପହଂଚିଥିଲା । ସେତେବେଳେ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ଯାଇଥିବା ବେଳେ ପୁଅକୁ ପ୍ରିୟଙ୍କା ଘର ମାଲିଙ୍କ ଘରେ ଛାଡିଥିଲେ । ଘରେ ପ୍ରିୟଙ୍କା ଏକୁଟିଆ ଥିବା ବେଳେ ଜଗନ୍ନାଥ ପହଂଚିଥିଲେ ।

ଏହାପରେ କୌଣସି କାରଣରୁ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା । ଉଭୟ ଉଚ୍ଚ ସ୍ୱରରେ ପରସ୍ପର ଝଗଡା କରୁଥିବା ବେଳେ ପାଟିତୁଣ୍ଡ ଶୁଣିଥିଲେ ଘରମାଲିକ । ତେବେ ପ୍ରିୟଙ୍କା ସ୍ୱାମୀଙ୍କ ସହ ଝଗଡା କରୁଛନ୍ତି ଭାବି ଏହାକୁ ଗୁରୁତ୍ୱ ଦେଇନଥିଲେ । ଏହା ପରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଯଦି ଜଗନ୍ନାଥଙ୍କ ବିଷୟରେ ଘରମାଲିକ ଜାଣିଥାନ୍ତେ ହୁଏତ ପ୍ରିୟଙ୍କା ବଂଚିଯାଇଥାନ୍ତେ ।