ନିରାମୟରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ଔଷଧ : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରୁ ଆସିଲା ସାଂଘାତିକ ଚିତ୍ର

୨ ତାରିଖରେ ଦିଆଯାଇଥିବା ଔଷଧର ୩୦ରେ ସରୁଛି ଏକ୍ସପାଏରୀ; ୨୮ ଦିନ ଭିତରେ ବିକ୍ରି କରିବାକୁ ରହିଛି ନିର୍ଦ୍ଦେଶ

51

କନକ ବ୍ୟୁରୋ : ଡାକ୍ତରଖାନା ଗୁଡିକରେ ନିରାମୟ ଔଷଧ ମାଗଣାରେ ଦିଆଯାଉଛି । ହେଲେ ନିରାମୟରେ ନିରୋଗ ହେବାକୁ ଆସୁଥିବା ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ଔଷଧ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଏଭଳି ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି । ପୁଇଁତଳା ବ୍ଲକ ପୁଡାପାଲି ଗାଁର ସନ୍ତୋଷ ସାହୁ ଥଣ୍ଡା, ଜ୍ୱର ହେଉଥିବାରୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଯାଇଥିଲେ । ଏହାପରେ ସନ୍ତୋଷ ନିରାମୟ କେନ୍ଦ୍ରକୁ ଯାଇ ମାଗଣାରେ ସରକାରୀ ଔଷଧ ଆଣିଥିଲେ । ସେଥିରୁ ଗୋଟିଏ ଔଷଧ ଏକ୍ସପାଏରୀ ହୋଇସାରିଥିବା ଜାଣିବାକୁ ପାଇଲେ ।

ଅଗଷ୍ଟ ମାସରୁ ଔଷଧଟି ଏକ୍ସପାଏରୀ ହୋଇସାରିଥିବାବେଳେ ଏହାକୁ ରୋଗୀଙ୍କୁ ଦିଆଯାଇଥିଲା । ତେବେ ଏହାକୁ ଖାଇନଥିଲେ ସନ୍ତୋଷ । ବରଂ ଅଭିଯୋଗ କରିବା ପରେ ହସ୍ପିଟାଲ ଅଧିକ୍ଷକ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିରାମୟ କେନ୍ଦ୍ରକୁ ଆସିଥିବା ଏକ ଔଷଧ ତାଲିକା ଆମର ହସ୍ତଗତ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଏହି ତାଲିକା ଅନୁସାରେ ନିରାମୟ କେନ୍ଦ୍ରକୁ ଔଷଧ ଆସିଛି । ହେଲେ ଗୋଟିଏ ଔଷଧରେ ସେପ୍ଟେମ୍ବର ୩୦ ତାରିଖ ଏକ୍ସପାଏରୀ ତାରିଖ ରହିଛି । ଅର୍ଥାତ ୨୮ ଦିନ ଭିତରେ ଏହି ଔଷଧ ବିକ୍ରି କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ନିରାମୟ କେନ୍ଦ୍ର ପକ୍ଷରୁ ରୋଗୀଙ୍କ ଜୀବନ ସହ ଖେଳଖେଳି, ଏକ୍ସପାଏରୀ ଚାଲିଯିବା ପରେ ମଧ୍ୟ ରୋଗୀଙ୍କୁ ଔଷଧ ବିକ୍ରି ଚାଲିଛି ।