ଫାଟି ଯାଇଛି ବିଜେଡି ! ନବୀନଙ୍କ ପଂଚାୟତ ସମୀକ୍ଷା ଉପରେ ଭର୍ତ୍ତୃହରିଙ୍କ ପ୍ରଶ୍ନ

54

କନକ ବ୍ୟୁରୋ : ବିଜୁ ଜନତା ଦଳରେ ଏବେ ବି ଥମିନି ଟ୍ୱିଟ ଓ ଆର୍ଟ୍ଟିକେଲ ଝଡ । ସାଂସଦ ବୈଜୟନ୍ତ ପଣ୍ଡା ଓ ତଥାଗତ ଶତପଥୀଙ୍କ ପରେ ଦଳୀୟ ପରିଚାଳନାକୁ ଦୁଇ ଦୁଇ ଥର ଗଣମାଧ୍ୟମରେ ଟାର୍ଗେଟ କଲେଣି ସାଂସଦ ଭର୍ତ୍ତୃହରି ମହତାବ । ବିଜେପି ଯେଉଁଠି ତୃଣମୂଳ ସ୍ତରକୁ ସଂଗଠିତ କଲାଣି, ସେଠାରେ ପଂଚାୟତ ସମୀକ୍ଷାରେ ଦଳୀୟ କନ୍ଦଳ ଦୂର ହେଉନି ବୋଲି ସେ କହିଛନ୍ତି । ସେପଟେ ଭର୍ତ୍ତୃହରିଙ୍କ ଆର୍ଟ୍ଟିକେଲ ପଢିବା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏକ ଓଡିଆ ଖବରକାଗଜରେ ବିଜେଡି ଲୋକସଭା ନେତା ଭର୍ତ୍ତୃହରି ମହତାବଙ୍କ ବିଜୁ ଜନତା ଦଳକୁ ନେଇ ମତାମତର ଦୁଇଟି ସଂସ୍କରଣ ବାହାରିଥିଲା । ପ୍ରଥମ ସଂସ୍କରଣରେ ବିଜେପିର ବଢୁଥିବା ପତିଆରାକୁ ନେଇ ବିଜେଡିର ବୟାନବାଜି ଦଳର ଦୁର୍ବଳତାକୁ ପ୍ରମାଣିତ କରୁଥିବା ଉଲ୍ଲେଖ କରିଥିଲେ ।

ଦ୍ୱିତୀୟ ସଂସ୍କରଣରେ ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଂଚାୟତ ସମୀକ୍ଷାକୁ ଟାର୍ଗେଟ କରିଛନ୍ତି । ଏହା ଦ୍ୱାରା ଦଳ ଭିତରେ ଥିବା କନ୍ଦଳର ଅବସାନ ଘଟୁ ନଥିବା ଦିଗକୁ ସେ ଇସାରା କରିଛନ୍ତି । ବିଜେପି ୩୬୦୦୦ ବୁଥରେ ପିତିଆରା ଜାହିର କରିବା ଯୋଜନା କରୁଛି । ହେଲେ ବିଜେଡି ଓ କଂଗ୍ରେସଙ୍କ ଯୋଜନାକୁ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ଭର୍ତ୍ତୃହରି । ସ୍ଥିତି ସଜାଡିବା ବଦଳରେ ଭୁବନେଶ୍ୱରରେ ବିଜେଡି ନେତା କେବଳ ବୟାନବାଜି କରୁଥିବା ଭର୍ତ୍ତୃହରି ଏହି ଆର୍ଟ୍ଟିକେଲ ଜରିଆରେ ଅଭିଯୋଗ କରିଛନ୍ତି ।

ସେପଟେ ଦିଲ୍ଲୀ ଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଯାଏ ଭର୍ତ୍ତୃହରିଙ୍କ ଆର୍ଟ୍ଟିକଲ ପଢି ନାହାନ୍ତି । ତେବେ ଦଳ ଭିତରେ ଥିବା ଯେଉଁ କନ୍ଦଳକୁ ଭର୍ତ୍ତୃହରି ଟାର୍ଗେଟ କରିଛନ୍ତି, ତାକୁ ଖଣ୍ଡନ୍ତ କରିଛନ୍ତି ନବୀନ । ବରଂ ଦଳ ଶକ୍ତିଶାଳୀ ଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭର୍ତ୍ତୃହରିଙ୍କ ଏପରି ଆର୍ଟ୍ଟିକେଲ ପରେ ବିଜେଡିରେ ଝଡ ସୃଷ୍ଟି ହୋଇଛି । ଯେଉଁଠି ବିଜେପି ଏହାକୁ ବିଜେଡିର ଭୟ ବୋଲି କହିଛି, ବିଜେଡି ନେତାଙ୍କ ଟାର୍ଗେଟରେ ଭର୍ତ୍ତୃହରିଙ୍କ ସାଂଗଠନିକ କ୍ଷମତା ।

ଦେଶରେ ମୋଦି ଲହରକୁ ନେଇ କିଛି ଦିନ ତଳେ ତଥାଗତ ସଂଦସୀୟ ଦଳ ଭାଙ୍ଗିବା ନେଇ ଟ୍ୱିଟ ଜରିଆରେ ବିଜେଡି ସାଂସଦଙ୍କୁ ଟାର୍ଗେଟ କରିଥିଲେ । ସେହିପରି ବୈଜୟନ୍ତ ଆର୍ଟ୍ଟିକେଲ ଜରିଆରେ ନବୀନଙ୍କୁ ସମୀକ୍ଷା କରିବା ପାଇଁ ଆହ୍ୱାନ ଦେଲେ । ପୂର୍ବରୁ ମୋଦି ଝଡ ଅଟକାଇବା ପାଇଁ କଂଗ୍ରେସ ସହ ମେଂଟ କଥା କହିଥିଲେ ଭର୍ତ୍ତୃହରି । ଏପରି ସ୍ଥଳେ, ଦଳୀୟ କନ୍ଦଳ ଓ ଦୁର୍ବଳତା ପଦାରେ ପଡୁଛି । ନବୀନ ବାରମ୍ବାର ଏହାକୁ ଖଣ୍ଡନ କରୁଥିଲେ ସୁଦ୍ଧା, ଛାମୁଆ ନେତାଙ୍କ ବୟାନବାଜି ଦଳୀୟ ଅନୁଶାସନକୁ ବିପଦରେ ପକାଉଥିବା ନେଇ ଚର୍ଚ୍ଚା ହେଉଛି ।