ପ୍ରଶଂସା କଲେ ରହସ୍ୟ ବଢାଇଲେ ! ବିଜେଡି ସାଂସଦଙ୍କ ମୁହଁରେ ଧର୍ମେନ୍ଦ୍ରଙ୍କ ଗୁଣଗାନ

49

କନକ ବ୍ୟୁରୋ : ବିଜେଡି ସାଂସଦଙ୍କ ମୁହଁରେ ଧର୍ମେନ୍ଦ୍ରଙ୍କ ଗୁଣଗାନ । ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ୍ ମନ୍ତ୍ରୀକୁ ପଦୋନ୍ନତି ପରେ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । କହିଛନ୍ତି, ଉଜ୍ଜ୍ୱଳା ଯୋଜନାରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାରିତା ଯୋଗୁ ତାଙ୍କୁ ପୁରସ୍କାର ମିଳିଛି । ଏପରିକି କେନ୍ଦ୍ରମନ୍ତ୍ରୀ ୩ ବର୍ଷରେ ଯାହା କରିଛନ୍ତି ତାହା ପୂରଣ କରିବାକୁ ସାଧାରଣ ବ୍ୟବସ୍ଥାରେ ୧୦ ବର୍ଷ ଲାଗିବ ବୋଲି ଯୁକ୍ତି ରଖିଛନ୍ତି ଭର୍ତ୍ତୃହରି ।

ସବୁଠାରୁ ବଡ କଥା ହେଉଛି ବିଜେଡି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମୀଳନି କରି ଉଜ୍ୱଳା ଯୋଜନାର କାର୍ଯ୍ୟକାରିତାକୁ ସମାଲୋଚନା କରିଥିଲା । ସେହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରି ପୁଣି ବିବାଦ ସୃଷ୍ଟି କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା ।

ବିଜେଡି ଏବେ ଧର୍ମେନ୍ଦ୍ରଙ୍କୁ ସିଧାସଳଖ ନିଜ ନିଶାନାରେ ରଖିଥିବା ବେଳେ ଦଳୀୟ ସାଂସଦଙ୍କ ଏମିତି ଲେଖାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଗତ ସପ୍ତାହରେ ମଧ୍ୟ ଧର୍ମେନ୍ଦ୍ରଙ୍କ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉଜ୍ଜ୍ୱଳା ଯୋଜନାକୁ ନିଜ ଲେଖା ମାଧ୍ୟମରେ ବେଶ ପ୍ରଶଂସା କରିଥିଲେ ଭର୍ତ୍ତୃହରି । ଆଉ ଭର୍ତ୍ତୃହରିଙ୍କୁ ମଧ୍ୟ ବାଗ୍ମୀ ସାଂସଦର ଆଖ୍ୟା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣକୁ ଏକ ଉଚିତ ପଦକ୍ଷେପ ଏବଂ ଏହା ୨୦୧୯ ସାଧାରଣ ନିର୍ବାଚନର ରଣନୀତି ବୋଲି ଉଲ୍ଲେଖ କରିଛନ୍ତି ଭର୍ତ୍ତୃହରି । ତେବେ ବିଜେପି ସପକ୍ଷରେ ବିଭିନ୍ନ ସମୟରେ ମତ ଦେଇ ଚର୍ଚ୍ଚାରେ ଥିବା ଏହି ସାଂସଦ, ଏବେ ଶତ୍ରୁ ନଂ ୱାନଙ୍କ ଗୁଣଗାନ କରିବାକୁ ଦଳ କେମିତି ଦେଖିବ ତାହା ସବୁଠାରୁ ବଡ ପ୍ରଶ୍ନ ।