ବୋହୂ ସାକ୍ଷୀ ମହତାବଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ଭର୍ତ୍ତୃହରି । କହିଲେ , ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ଜାଣିନାହାଁନ୍ତି । ୪ ବର୍ଷ ହେଲା ପୁଅ-ବୋହୂ ରହୁଛନ୍ତି ଅଲଗା ।

222

କନକ ବ୍ୟୁରୋ: ବୋହୂ ସାକ୍ଷୀ ମହତାବଙ୍କ ଯୌତୁକ ନିର୍ଯ୍ୟାତନା ନେଇ ଅଭିଯୋଗ ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ତେବେ ବୋହୂଙ୍କ ଏହି ଅଭିଯୋଗ ସମ୍ପର୍କରେ ସେ ଏପର୍ଯ୍ୟନ୍ତ କିଛି ଜାଣିନଥିବା ଗଣମାଧ୍ୟମକୁ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଏଥିସହିତ ଗତ ୪ ବର୍ଷ ହେଲା ତାଙ୍କ ପୁଅ, ବୋହୂ ଅଲଗା ରହୁଛନ୍ତି । ୪ ବର୍ଷ ହେଲା ତାଙ୍କ ପୁଅ ତାଙ୍କ ପତ୍ନୀଙ୍କ ବିରୋଧରେ ଛାଡପତ୍ର ପାଇଁ ଫାଇଲ୍ କରିଛନ୍ତି ବୋଲି ଭର୍ତ୍ତୃହରି କହିଛନ୍ତି । ତତ୍ ସହିତ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅବଗତ ଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆସିଥିଲା । ବୋହୂ ସାକ୍ଷୀ ମହତାବ ଏନେଇ ଥାନାରେ ଅଭିଯୋଗ କରିଥିଲେ । ମଧ୍ୟପ୍ରଦେଶ ଭୋପାଳ ମହିଳା ଥାନାରେ ଏଫଆଇଆର ଦାୟର କରିଥିଲେ ସାକ୍ଷୀ । ଶ୍ୱଶୁର ଭର୍ତ୍ତୃହରି ମହତାବ ଓ ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ ସ୍ୱାମୀ ଲୋକରଞ୍ଜନ ମହତାବଙ୍କ ନାଁରେ ମଧ୍ୟ ସାକ୍ଷୀ ମହତାବ ଅଭିଯୋଗ ଆଣିଥିଲେ । ଯୌତୁକ ଦାବିରେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ସାକ୍ଷୀ । ଏପରିକି ନିର୍ଯ୍ୟାତନା ଯୋଗୁଁ ସେ ଭୋପାଳରେ ଆସି ରହୁଥିବା ଏଫଆଇଆର କପିରେ ଉଲ୍ଲେଖ କରିଥିଲେ ।