କାଲି ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ଡାକରା, ବିରୋଧୀଙ୍କ ସହ ବ୍ୟାଙ୍କ ୟୁନିୟନ ଜଣାଇଲା ସମର୍ଥନ

201

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ଗତବର୍ଷ ପାରିତ ହୋଇଥିବା ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ୧୧ ମାସରୁ ଉର୍ଦ୍ଧ ହେବ ଧାରଣାରେ ବସିଛନ୍ତି । ଏହି ଅବଧି ମଧ୍ୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳମାନେ ଅନେକଥର ଭାରତ ବନ୍ଦ କରିଛନ୍ତି । ଏହାସହ ଏହି ସମସ୍ୟାର ସମାଧାନ ପାଇଁ କୃଷକ ସଂଗଠନର ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବହୁବାର ବୈଠକ ହୋଇଥିଲେ ବି ଏହାର ନିସ୍କର୍ଷ ବାହାରିପାରି ନାହିଁ । ଏବେ ଆନ୍ଦୋଳନକୁ ମଜବୁତ କରିବାକୁ କୃଷକ ସଂଗଠନମାନଙ୍କ ପକ୍ଷରୁ ଆସନ୍ତା କାଲି (୨୭ ସେପ୍ଟେମ୍ବର) ଭାରତ ବନ୍ଦ ଡାକରା ଦେଇଛି । ଏହି ଭାରତ ବନ୍ଦ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ କରାଯାଉଥିବା ବେଳେ କାଲି ସକାଳ ୬ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏହି ଭାରତ ବନ୍ଦକୁ ପାଳନ କରିବାକୁ କୁହାଯାଇଛି ।

ଅନ୍ୟପଟେ ସଂଯୁକ୍ତ କିଷାନମୋର୍ଚ୍ଚା ଦ୍ୱାରା ଡାକରା ଦିଆଯାଇଥିବା ଏହି ଭାରତ ବନ୍ଦକୁ ଦେଶର ବିଭିନ୍ନ ବିରୋଧୀ ଦଳମାନେ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟତ ବାମଦଳ, କଂଗ୍ରେସ, ଆପ୍, ଟିଏମସି, ଆରଜେଡି ଭଳି ରାଜନୈତିକ ଦଳ ସାମିଲ ଅଛନ୍ତି ।

ଅନ୍ୟପଟେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଫେଡରେସନ (ଏଆଇବିଓସି) ସୋମବାର ଦିନ ଏହି ବନ୍ଦକୁ ସମର୍ଥନ କରିଛି । ସେ ସରକାରଙ୍କ ପାଖରେ ଅନୁରୋଧ କରିଛି କି ଏହି ୩ ଟି ଆଇନକୁ ସରକାର କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରଦ୍ଦ କରନ୍ତୁ । ଏଆଇବିଓସି ପକ୍ଷରୁ କୁହାଯାଇଛି କି ସେମାନଙ୍କ ସହଯୋଗୀ ଓ ରାଜ୍ୟ ସଂଘ ବି ଏହି ବନ୍ଦରେ ସାମିଲ ହେବେ ।

ଭାରତୀୟ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଏହି ବନ୍ଦ ପାଳନ ବେଳେ ଦେଶର ହସ୍ପିଟାଲ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ ସେମା ଓ ମେଡିକାଲ ସହ ଜଡିତ ସେବାଗୁଡିକ ଚାଲୁ ରହିବ । ଏହାସହ ପରୀକ୍ଷା ଓ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ଛାତ୍ର ଛାତ୍ରୀମାନଙ୍କୁ ରାସ୍ତାରେ ନଅଟକାଇବକୁ ସଂଘ ପକ୍ଷରୁ କୁହାଯାଇଛି ।