ଓଡ଼ିଶା ବିଧାନସଭାର ୨୫ ତମ ବାଚସ୍ପତି ଭାବେ ଶପଥ ନେଲେ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖ । ନିରପେକ୍ଷ ରହିବା ପାଇଁ ଆହ୍ୱାନ ଦେଲେ ନେତା ।

124

କନକ ବ୍ୟୁରୋ: ଓଡ଼ିଶା ବିଧାନସଭାର ୨୫ତମ ବାଚସ୍ପତି ଭାବେ ଶପଥ ନେଇଛନ୍ତି ୫୯ ବର୍ଷୀୟ ବିଜେଡି ବିଧାୟକ ବିକ୍ରମ କେଶରୀ ଆରୁଖ । ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ୬ଥରର ବିଧାୟକ ବିକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ପ୍ରସ୍ତାବ ଦେବା ପରେ ବାଚନିକ ଭୋଟରେ ସେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏହି ସ୍ୱତନ୍ତ୍ର ଦିନିକିଆ ଅଧିବେଶନରେ କଂଗ୍ରେ୍ସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ, କହିଛନ୍ତି ଦଳୀୟ ସ୍ୱାର୍ଥରୁ ଉପରକୁ ଉଠି ସେ ଗୃହ ପରିଚାଳନା କରିବା ଉଚିତ ।

ଓଡିଶା ବିଧାନସଭାର ୨୫ ତମ ବାଚସ୍ପତି ଭାବେ ଦାୟିତ୍ୱ ନେଇଛନ୍ତି ଭଞ୍ଜନଗରର ୬ ଥରର ବିଧାୟକ ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଭାବେ ଡକାଯାଇଥିବା ବିଧାନସଭା ଅଧିବେଶନରେ ବାଚନିକ ଭୋଟ୍ ମାଧ୍ୟମରେ ବିକ୍ରମ ଆରୁଖ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ବିକ୍ରମ କେଶରୀ ଆରୁଖଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି । ଦୀର୍ଘବର୍ଷ ଧରି ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ । ଆଇନ, ସଂସଦୀୟ ବ୍ୟାପାର ଓ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ବିକ୍ରମ ଆରୁଖ ।

ଜୁଲାଇ ୨ରୁ ଆରମ୍ଭ ହେଉଛି ବିଧାନସଭାର ଅଧିବେଶନ । ଆଉ ଏବେ ଶାସକ ଓ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଗୃହ ଚଳାଇବା ନୂଆ ବାଚସ୍ପତିଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହେବ । ତେବେ କଂଗ୍ରେସ ନେତା ନରସିଂହ ମିଶ୍ର କହିଚନ୍ତି, ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରିବା ଦରକାର । ବିରୋଧୀଙ୍କ କଥାକୁ ଗୁରୁତ୍ୱ ଦେବା ଦରକାର । ଏପରିକି ନିରପେକ୍ଷ ରହିବା ପାଇଁ ଦଳରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିଥିଲେ । ଆଉ ବିକ୍ରମ କେଶରୀ ଆରୁଖ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଏହି ସମୟରେ ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦିଗପହଣ୍ଡିର ଏହି ବିଧାୟକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।