ପଶ୍ଚିମ ଓଡିଶାରେ ପାଳିତ ହେଲା ଭାଇ ଜୀଉନ୍ତିଆ ବ୍ରତ ! ଭାଇର ଶୁଭମନାସୀ ବ୍ରତ ରଖିଲେ ଭଉଣୀ, ୭ ପ୍ରକାର ଫୁଲ ଓ ୭ଟି ଜୁଗାରରେ ଦେବୀଙ୍କୁ ଆରାଧନା

71

କନକ ବ୍ୟୁରୋ : ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଭାଇ ଜୀଉନ୍ତିଆ ବ୍ରତ । ଭାଇର ଶୁଭମନାସୀ ଭଉଣୀ କରୁଥିବା ଏହି ଓଷାକୁ ନେଇ ସୁବର୍ଣ୍ଣପୁରରେ ରହିଛି ଏକ ନିଆରା ପରମ୍ପରା । ଦେବୀ ଦୁର୍ଗା ଭାଇ ଜୀଉନ୍ତିଆ ପାଇଁ ଖମ୍ବଶ୍ୱରୀ ମନ୍ଦିରକୁ ପ୍ରବେଶ କରିବା ପରେ ଝିଅମାନେ ଏହି ଓଷା କରିଥାନ୍ତି ।

ଭାଇର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ଭଉଣୀମାନେ ଏହି ବ୍ରତ କରିଥାନ୍ତି । ପଶ୍ଚିମ ଓଡିଶାରେ ଏହି ବ୍ରତ ପାଳନ କରିଛନ୍ତି ଭଉଣୀମାନେ । ସୁବର୍ଣ୍ଣପୁରରେ ପାର୍ବଣର ସପ୍ତମୀ ତିଥିରେ ଦେବୀ କନକ ଦୁର୍ଗା ବିଳମ୍ବିତ ରାତିରେ ରାଜପୁରଦିତଙ୍କ ବାସଭବନରୁ ମାଆ ସମଲେସ୍ୱରୀ ମନ୍ଦିରକୁ ବିଜେ କରିଥାନ୍ତି । ଏହି ସମୟରେ ମାଆ ସମଲେଶ୍ୱରୀ ଦେବୀ ଦୁର୍ଗା, ଭୁବନେଶ୍ୱରୀ ଓ ମହାକାଳୀଙ୍କ ସହ ପୂଜା ପାଇଥାନ୍ତି । ବିଧି ଅନୁସାରେ ସପ୍ତମୀ ରାତିରେ ଦେବୀ ଦୁର୍ଗା ଖମ୍ବେଶ୍ୱରୀ ମନ୍ଦିରକୁ ଭାଇ ଜୁଇନ୍ତିଆ ପାଇଁ ବିଜେ କରିଥାନ୍ତି ।

ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୂଜା ପରେ ସୁବର୍ଣ୍ଣପୁରରେ ଭଉଣୀମାନେ ଭାଇ ଜୀଉନ୍ତିଆ ବ୍ରତ କରିଛନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ୭ ପ୍ରକାର ଫୁଲ, ୭ଟି ଜୁଗାର କରି ଧୂପଦୀପ ନୈବେଦ୍ୟ ଦେଇ ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି । ଭାଇଙ୍କ ମଙ୍ଗଳ ମନାସି ୧୦୮ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ଜୁଇନ୍ତିଆରେ ବାନ୍ଧି ଦେବୀଙ୍କ ପାଖରେ ସମର୍ପଣ କରିଥାନ୍ତି । ଏବଂ ତା ପର ଦିନ ସକାଳେ ବନ୍ଧା ହୋଇଥିବା ଦୁବକୁ ନେଇ ଭାଇକୁ ବନ୍ଦାଇବାର ପରମ୍ପରା ରହିଛି । ଦେବୀ ମାଆ କନକ ଦୁର୍ଗା ଭାଇ ଜୁଇନ୍ତିଆ ଓଷା ପାଳନ କରିବା ପରମ୍ପରା ଖୁବ୍ ପ୍ରାଚୀନ ବୋଲି ମତ ଦିଅନ୍ତି ସଂସ୍କୃତି ଗବେଷକ ।