ଉନ୍ମୋଚିତ ହେଲା ଡକ୍ଟର ଭଗବାନ ପ୍ରସାଦଙ୍କ ପୁସ୍ତକ ‘ତୃତୀୟ ଦୃଷ୍ଟି’

45

କନକ ବ୍ୟୁରୋ : ଉନ୍ମୋଚିତ ହେଲା ଡକ୍ଟର ଭଗବାନ ପ୍ରସାଦଙ୍କ ପୁସ୍ତକ ‘ତୃତୀୟ ଦୃଷ୍ଟି’ । ଡକ୍ଟର ଭଗବାନ ପ୍ରସାଦଙ୍କ ଜନ୍ମଦିନ ଅବସରରେ ଏହି ପୁସ୍ତକକୁ ଭୁବନେଶ୍ୱରର ସ୍ୱସ୍ତି ଗ୍ରାଣ୍ଡ ହୋଟେଲରେ ଉନ୍ମୋଚିତ କରାଯାଇଛି । ଆମ ଓଡିଶା ତରଫରୁ ଏହି ପୁସ୍ତକକୁ ପ୍ରକାଶିତ କରାଯାଇଛି । ଏହି ଅବସରରେ ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉନ୍ମୋଚନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ବିଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ସାମାଜିକ, ସାଂସ୍କୃତିକ. ପ୍ରଶାସନିକ, ନୈତିକ ତଥା ରାଜନୈତିକ ସମସ୍ୟାମାନଙ୍କ ସଂପର୍କରେ, ମୁଖ୍ୟତଃ ସମ୍ବାଦ ଏବଂ ଅନ୍ୟ କେତେକ ପତ୍ର ପତ୍ରିକାରେ ପ୍ରକାଶିତ ଲେଖାଗୁଡିକୁ ଏକାଠି ସଂକଳନ କରି ପୁସ୍ତକ ଆକାରରେ ପାଠକ ମାନଙ୍କୁ ଭେଟି ଦେବାର ଏହି ତୃତୀୟ ପ୍ରଚେଷ୍ଟାର ନାମ ହେଉଛି ତୃତୀୟ ଦୃଷ୍ଟି ।

ଏହି କାର୍ଯ୍ୟକ୍ରମରେ ଭଗବାନ ପ୍ରକାଶ କହିଛନ୍ତି, ସମୟ ବଦଳିବା ସହିତ ଜନ୍ମଦିନ ପାଳନ ବିଧି ବଦଳିଛି। ପିଠାର ସ୍ଥାନ ଆଜି କେକ୍‌ ନେଇଛି ସତ କିନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ । ଜଗତୀକରଣ ପ୍ରଭାବର ଏହା ଏକ ସ୍ବଭାବିକ ପ୍ରକ୍ରିୟା । ବିଭିନ୍ନ ଦେଶରେ ଜନ୍ମଦିନ ପାଳନ ବିଧି ଭିନ୍ନ । ଜାପାନରେ ବରିଷ୍ଠ ନାଗରିକଙ୍କ ଜନ୍ମଦିନ ପାଳନ ହୁଏ ନାହିଁ । ଆଫ୍ରିକାରେ ଶିଶୁ ମୃତ୍ୟୁ ହାର ଏତେ ଅଧିକ ଯେ ୧୦ ବର୍ଷ ପର୍ଯ୍ୟନ୍ତ କାହାର ଜନ୍ମଦିନ ପାଳନ କରାଯାଏ ନାହିଁ । ଦକ୍ଷିଣ ଆଫ୍ରିକାରେ କିଂବଦନ୍ତୀ ପୁରୁଷ ନେଲସନ୍‌ ମାଣ୍ଡେଲାଙ୍କ ୯୫ ବର୍ଷ ବୟସରେ ମୃତ୍ୟୁ ଶଯ୍ୟା ନିକଟରେ ଜନ୍ମ ଉତ୍ସବ ପାଳନ ହେଉଥିଲା ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ କହିଲେ, ଭଗବାନ ପ୍ରକାଶଙ୍କୁ କୃତଜ୍ଞତା ଅର୍ଥାତ ଈଶ୍ବରଙ୍କୁ କୃତଜ୍ଞତା । ‘ସମ୍ବାଦ’ ତାଙ୍କ ସଙ୍ଗ ପାଇ ଅନେକ ଲୋକଙ୍କ ସହିତ ଯୋଡ଼ି ହୋଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବିଧାନିକ ବ୍ୟବସ୍ଥା ଅବକ୍ଷୟମୁଖୀ ହେଲେ ନାଗରିକଙ୍କ କର୍ତ୍ତବ୍ୟ ବଢ଼ିଯାଏ । କିନ୍ତୁ ନାଗରିକ ସମାଜର ଅବକ୍ଷୟ ହେଲେ ତାକୁ କେହି ରକ୍ଷା କରିପାରିବେ ନାହିଁ । ଏଥିପାଇଁ ବିପ୍ଳବର ଆବଶ୍ୟକ ହୁଏ । ଏଭଳି ସ୍ଥିତିରେ ଭଗବାନ ପ୍ରକାଶଙ୍କ ଭଳି ବ୍ୟକ୍ତିଙ୍କ ଗୁରୁତ୍ବ ବୃଦ୍ଧି ପାଇଛି। ଯିଏ ଅଧ୍ୟାପନା ବୃତ୍ତିରେ ରହି ପିଲାଙ୍କୁ ପଢ଼ାଇବା ଠାରୁ ଆରମ୍ଭ କରି ଏନଏସଏସର ପ୍ରତିଷ୍ଠା, ନିର୍ବାଚନ କମିସନରଙ୍କ ପରାମର୍ଶଦାତା ଏବଂ ଆଜି ପ୍ରାବନ୍ଧିକ ଭାବରେ ଅନେକ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ହୋଇଛନ୍ତି ।