ଓଡିଶା ଚାଷୀଙ୍କୁ ଲୁଟୁଛନ୍ତି ଅନ୍ତଃରାଜ୍ୟ ଲୁଟେରା ! ଚାଷୀଙ୍କଠାରୁ କମ୍ ଦରରେ ଧାନ କିଣି ନେଉଛନ୍ତି ଆନ୍ଧ୍ର ଓ ପଶ୍ଚିମବଙ୍ଗ ଦଲାଲ୍

ମଣ୍ଡି ଖୋଲିନଥିବାରୁ ଶୋଷଣ ଶିକାର ହେଉଛନ୍ତି ଚାଷୀ

131

କନକ ବ୍ୟୁରୋ: ଓଡିଶା ଚାଷୀଙ୍କୁ ଲୁଟୁଛନ୍ତି ଅନ୍ତଃରାଜ୍ୟ ଦଲାଲ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିନଥିବାରୁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଦଲାଲ ଚାଷୀଙ୍କୁ ଠାରୁ କମ୍ ଦରରେ ଧାନ କିଣି ନିଜ ରାଜ୍ୟକୁ ନେଇ ଯାଉଛନ୍ତି । ରାତାରାତି ଟ୍ରକରେ ଲଦି ଓଡିଶା ପାର କରାଉଛନ୍ତି ଦଲାଲ । ଆଉ ଶୋଷଣର ଶିକାର ହେଉଛି ଚାଷୀ ।

ଭଦ୍ରକ ଚାଷୀଙ୍କୁ ଲୁଟୁଛନ୍ତି ଆନ୍ଧ୍ର ଓ ପଶ୍ଚିମବଙ୍ଗର ଦଲାଲ । ଟ୍ରକ ଟ୍ରକ ଧାନ ଅନ୍ଧାର ରାତିରେ ଜିଲ୍ଲା ପାର କରାଯାଉଛନ୍ତି ଦଲାଲ । ଜିଲ୍ଲାର ୭ଟି ବ୍ଲକ ବାସୁଦେବପୁର, ଚାନ୍ଦବାଲି, ତିହିଡି, ଧାମନଗର, ବନ୍ତ, ଭଣ୍ଡିରୀପୋଖରୀ ଓ ଭଦ୍ରକ ଅଂଚଳରେ ଅନ୍ତଃରାଜ୍ୟ ଧାନ ମାଫିଆ ଚାଷୀଙ୍କୁ ଲୁଟୁଛନ୍ତି । ଗାଁ ଗାଁ ବୁଲି ସରକାରୀ ମୂଲ୍ୟ ଠାରୁ ଢେର୍ କମ୍ ଦରରେ ଧାନ କିଣି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଚାଷୀର ବର୍ଷକର ଝାଳବୁହା ପର୍ିଶ୍ରମକୁ ମାତ୍ର ୧୧ଶହ ଟଙ୍କାରେ କିଣି ଟ୍ରକ ଟ୍ରକ କରି ନିଜ ରାଜ୍ୟକୁ ବୋହି ନେଉଛନ୍ତି । ମାଫିଆମାନେ ଭଦ୍ରକ ସହରରେ ରହି ଆରସିଏମ ଓ ଯୋଗାଣ ବିଭାଗ କର୍ମଚାରୀଙ୍କୁ ହାତ କରି ଏଭଳି କାରନାମା ଚଳାଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଧାନର ସରକାରୀ ଦର ୧୭ଶହ ୫୦ରୁ ୧୮ଶହ ଥିବା ବେଳେ ଏଯାଏଁ ଭଦ୍ରକ ଜିଲ୍ଲାରେ ମଣ୍ଡି ଖୋଲି ନାହିଁ । ତେଣୁ ଚାଷୀ ବାଧ୍ୟ ହୋଇ ଦଲାଲକୁ ଧାନ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲାପାଲଙ୍କ କହିଛନ୍ତି. ଖୁବ୍ଶୀଘ୍ର ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଏହାସହ ଧାନ ମାଫିଆଙ୍କୁ ଧରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ । ତେବେ ଧାନ ମାଫିଆଙ୍କ ମାଷ୍ଟର ମାଇଣ୍ଡ ଜି.ବି ରାମାରାଓ ଭଦ୍ରକର ଏକ ହୋଟେଲରେ ରହିଛି ଜିଲ୍ଲାର କିଛି ମାଫିଆଙ୍କୁ ହାତ କରି ତାର କାରନାମା ଜାରି ରଖିଥିବା ଅନୁମାନ କରାଯାଉଛି ।