ବର ହୋଇଥାଆନ୍ତେ ହୋଇଗଲେ ଶବ : ବାହାଘରର ୩ଦିନ ପୂର୍ବରୁ କରୋନାରେ ଚାଲିଗଲା ଜୀବନ; ନିମନ୍ତ୍ରଣ ପତ୍ର ବଂଟା ସରିଥିଲା, ଲଗ୍ନ ମଧ୍ୟ ଧାର୍ଯ୍ୟ ହୋଇଥିଲା

777

କନକ ବ୍ୟୁରୋ : ବିବାହ ପାଇଁ ଲଗ୍ନ ସରିଥିଲା, ନିମନ୍ତ୍ରଣ ପତ୍ର ବଂଟା ସରିଥିଲା । ବର ହୋଇଥାନ୍ତେ, କିନ୍ତୁ ହୋଇଗଲେ ଶବ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ ଅଂଚଳର ନାଥ ସାହିରେ । ଗାଁର ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିଙ୍କ ଗତ ୧୧ ତାରିଖରେ ବାହାଘର ସ୍ଥିର ହୋଇଥିଲା । କିନ୍ତୁ ହଠାତ ଜର ହେବାରୁ କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ବାହାଘରକୁ ୧୮ ତାରିଖ ଅର୍ଥାତ ଆଜି ପାଇଁ ସ୍ଥିର ହୋଇଥିଲା ।

ଚନ୍ଦ୍ରମଣିଙ୍କ ଦେହ ଟିକିଏ ସୁସ୍ଥ ହେବା ପରେ ବାହାଘର ହେବ ବୋଲି ପରିବାର ଲୋକ ନିଷ୍ପତି ନେଇଥିଲେ । ଲୁଗାପଟା କିଣା ସରିଥିଲା, ନିମନ୍ତ୍ରଣ ପତ୍ର ବଂଚା ବି ସରିଥିଲା । କିନ୍ତୁ ହଠାତ୍ ଚନ୍ଦ୍ରମଣି ନିଶ୍ୱାସ ନେବାର କଷ୍ଟ ଅନୁଭବ କରିଥିଲେ । ଅକ୍ସିଜେନ ଲେବୁଲ କମିଯାଇଥିଲା । ମେଡିକାଲ ନେବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଗାଁରେ ଲୋକେ ଶବ କାନ୍ଧେଇବାକୁ ଆସିନଥିଲେ । ଫଳରେ ସରପଂଚ, ପ୍ରଶାସନିକ ଓ ମେଡିକାଲ କର୍ମଚାରୀ ଅନ୍ତିମ ସଂସ୍କାର କରିଥିଲେ ।