କନକ ବ୍ୟୁରୋ: କାଳିଆର କୁନି ଭଉଣୀ । ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇ ଚର୍ଚ୍ଚାରେ ଭଦ୍ରକର ସାଇ ସୁକନ୍ୟା । କେବଳ ଏତିକି ନୁହେଁ ରାକ୍ଷୀ ସହ ଦୁଇ ଭାଇଙ୍କୁ ଲଡୁ ଖୁଆଇବାକୁ ୫ ଶହ ଟଙ୍କା ପଠାଇଛି କୁନି ସୁକନ୍ୟା । ବଡ଼ କଥା ହେଉଛି ସୁକନ୍ୟାଙ୍କୁ ଉପହାର ଭାବରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଛି ଶ୍ରୀମନ୍ଦିର ପ୍ରଶାସନ ।

Advertisment

ତେବେ କୁନି ବୟସର ଚପଳତାରେ ଯେତେ ସରଳତା ଥାଏ, ମନ ଓ ଭାବନରେ ସେତେ ପବିତ୍ରତା ଥାଏ । କୁନି ଝିଅଟି କେତେବେଳେ ଭଗବାନଙ୍କୁ ନିଜର ଭାଇ ଭାବି ନେଇଛି, ତାହା କେହି ଜାଣି ନାହଁନ୍ତି । ଠାକୁରଙ୍କୁ ଯେତେବେଳେ ସେ ଭାଇ ବୋଲି ଗ୍ରହଣ କରିନେଇଛନ୍ତି, ସେତେବେଳେ ଉଉଣୀର କର୍ତବ୍ୟ ତ’ କରିବାକୁ ହିଁ ପଡ଼ିବ । ବାସ୍, ସେଇଠୁ ବୋଧ କୁନି ଝିଅ ମନରେ ଆସିଥିଲା, ଜଗା-ବଳିଆଙ୍କୁ ଭାଇ ଭଳି ତାଙ୍କ ହାତରେ ରାକ୍ଷୀ ବାନ୍ଧିବ । ଠାକୁରଙ୍କୁ ସିଧାସଳଖ ସିନା ଯାଇ ବଡ଼ ଦେଉଳରେ ରାକ୍ଷୀ ବାନ୍ଧିବା ତ’ ସମ୍ଭବ ନୁହେଁ । ସେଥି ପାଇଁ ଭଦ୍ରକର ଗାଁରୁ ବଡ଼ ଦେଉଳକୁ ରାକ୍ଷୀ ପଠାଇଥିଲେ ଷଷ୍ଠ ଶ୍ରେଣୀର ସାଇ ସୁକନ୍ୟା ମହାନ୍ତି ।

ଶ୍ରାବଣ ପୂର୍ଣ୍ଣିମାରେ ବଡ଼ ଦେଉଳରେ ବଡ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କୁ ନିଜର ଭାଇ ବୋଲି ସମ୍ବୋଧନ କରି ରାକ୍ଷୀ ପଠାଇଥିଲେ ଭଦ୍ରକର ସାଇ ସୁକନ୍ୟା ମହାନ୍ତିଙ୍କ ରାଖୀ । ରାକ୍ଷୀ ସହ ଜଗନ୍ନାଥ ମିଠା ଖାଇବା ପାଇଁ ୫ଶହ ଟଙ୍କା ପଠାଇଛନ୍ତି । ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧି ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଆବେଗଭରା ଚିଠି ଲେଖିଛନ୍ତି ସାଇ ସୁକନ୍ୟା ।

  • ରାକ୍ଷୀ ପାଇ ଉପହାର ପଠାଇଲା କାଳିଆ
  • ରଥକାଠ, ରଥଦଉଡ଼ି, ରଥକନା ଓ ନିର୍ମାଲ୍ୟ ପଠାଇଛି ଶ୍ରୀମନ୍ଦିର ପ୍ରଶାସନ

ସାଇ ସୁକନ୍ୟାଙ୍କ ଚିଠିର ପ୍ରତି ଉତ୍ତରରେ ଶ୍ରୀମନ୍ଦିର କାର୍ଯ୍ୟଳୟ ପକ୍ଷରୁ ଏକ ଶୁଭେଚ୍ଛା ପତ୍ର ଦିଆଯାଇଛି । ଏହା ସହିତ ମହାପ୍ରଭୁଙ୍କ ରଥକାଠ, ରଥଦଉଡ଼ି, ରଥକନା ଏବଂ ନିର୍ମାଲ୍ୟ ସମ୍ବଳିତ ଏକ ପ୍ୟାକେଟ୍ ଠାକୁରଙ୍କ ଆଶୀର୍ବାଦ ସ୍ୱରୁପ ପଠାଯାଇଛି । ସେ ପଠାଇଥିବା ରାକ୍ଷୀ ଠାକୁରଙ୍କୁ ପିନ୍ଧାଇବା ବ୍ୟବସ୍ଥା କରିବା ସହ ସେ ପଠାଇଥିବା ଟଙ୍କାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଛି ।