ମା’କୁ ପ୍ରେମ, ପୁଅକୁ ହତ୍ୟା! ପ୍ରେମ ନିବେଦନ କରି ବିଫଳ ହେବା ପରେ ସର୍ମ୍ପକୀୟ ମାମୁର ବିଭତ୍ସକାଣ୍ଡ

723

କନକ ବ୍ୟୁରୋ : ପ୍ରଥମେ ଏକତରଫା ପ୍ରେମ ଆଉ ତାପରେ ପ୍ରେମକୁ ସଫଳ କରିବା ପାଇଁ ରାସ୍ତାରୁ ହଟାଇ ଦେଲେ ୭ବର୍ଷର ଶିଶୁକୁ । ବ୍ରହ୍ମପୁରରେ ୭ବର୍ଷର ଶିଶୁକୁ ଅପହରଣ ଓ ହତ୍ୟା ଘଟଣାରେ ଆସିଛି ଏଭଳି ଚାଂଚଲ୍ୟକର ସତ । ପ୍ରେମରେ ଶିଶୁ ବାଧକ ସାଜିବ ଆଶଙ୍କାରେ ଅଭିଯୁକ୍ତ, ଶିଶୁଟିକୁ ପ୍ରଥମେ ଅପହରଣ କରିଥିଲା ଏବଂ ପରେ ଅତି ନୃଶଂସ ଭାବେ ହତ୍ୟା କରିଥିବା ଆଜି ପୋଲିସ ଆଗରେ ସ୍ୱୀକାର କରିଛି ।

ପୁରା କାହାଣୀକୁ ଯିବା ପୂର୍ବରୁ ଅଭିଯୁକ୍ତକୁ ଜାଣି ରଖନ୍ତୁ । ନାଁ ଦେବାଶିଷ ପଣ୍ଡା । ଗୋଷାଣୀ ନୂଆଗାଁ ଥାନାର ସଦାନନ୍ଦ ବିହାର ସପ୍ତମ ଲେନରେ ରହୁଥିବା ନିରୁପମା ଆଚାର୍ଯ୍ୟଙ୍କୁ ଫେସବୁକରେ ଏକତରଫା ପ୍ରେମ କରିବସିଲେ ଦେବାଶିଷ । ହେଲେ ପ୍ରେମ ନିବେଦନ କରି ବିଫଳ ହେଲେ । ଫେସବୁକରୁ ଆରମ୍ଭ ହୋଇଥିବା ଏହି ପ୍ରେମକୁ ସଫଳ କରିବା ପାଇଁ ଷଡଯନ୍ତ୍ର ରଚିଲା ଦେବାଶିଷ । କଂଟା ସାଜିଥିବା ନିରୁପମାଙ୍କ ପୁଅ ଅଂଶୁମାନକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ତିଆରି କଲା ମାଷ୍ଟର ପ୍ଲାନ ।

ଗତ ୧୨ ତାରିଖ ଦିନ ନିରୁପମାଙ୍କ ପୁଅ ଅଂଶୁମାନଙ୍କୁ ସମ୍ପର୍କୀୟ ମାମୁ ବୋଲାଉଥିବା ଦେବାଶିଷ ସ୍କୁଲ ଛାଡିବାକୁ ନେଇଥିଲା । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନା ଅଂଶୁମାନ ନା ଦେବାଶିଷ କାହାରି ଖୋଜ ଖବର ମିଳିନଥିଲା । ଯାହା ମା ନିରୁପମାଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଥିଲା । କୁଆଡେ ଗଲା ଅଂଶୁମାନ ? ଏହି ପ୍ରଶ୍ନର ଉତର ଖୋଜୁଥିଲେ ମା ନିରୁପମା । ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଆଉ ସୋମବାର ଛତ୍ରପୁର ନିକଟ ହଳଦିଆପଦର ବ୍ରିଜ ନିକଟରୁ ମିଳିଲା ଅଂଶୁମାନଙ୍କ ସ୍କୁଲ ପରିଚୟ ପତ୍ର, ଏକ ସ୍କୁଟି ଓ ରକ୍ତଭିଜା ସାର୍ଟ । ଏହାପରେ ପୁଲିସ ଅଭିଯୁକ୍ତ ଦେବାଶିଷକୁ ଆଣି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଛି ।

ଦେବାଶିଷ ଅଂଶୁମାନଙ୍କୁ କେଉଁ ସ୍ଥାନରୁ ଅପହରଣ କରିଥିଲା ଏବଂ କିପରି ହତ୍ୟା କରିଥିଲା ସେସବୁର ଡେମୋ କରିଦେଖାଇଥିଲା । ଏବେ ପୋଲିସ ଘଟଣାର ଅଧିକ ଛାନଭିନ ଜାରି ରଖିଛି । ଫେସବୁକରୁ ସମ୍ପର୍କ ସ୍ଥାପନ କରି ନିରୁପମାଙ୍କ ଘରକୁ ବାରମ୍ବାର ଯାଆସ କରୁଥିଲା ଦେବାଶିଷ । ହେଲେ ପ୍ରେମ ନିବେଦନରେ ବିଫଳ ହେବା ଅଂଶୁମାନକୁ କଂଟା ଭାବି ରାସ୍ତାରୁ ହଟାଇଦେଲା । ହେଲେ ଅଭିଯୁକ୍ତ ଜାଣିନଥିଲା ଫେସବୁକର ଏହି ପ୍ରେମ ତା ପାଇଁ ଏତେ ମହଙ୍ଗା ସାବ୍ୟସ୍ତ ହେବ ବୋଲି ।