ଅମିତ ଶାହଙ୍କ ରଥଯାତ୍ରାକୁ ନେଇ ବିଜେପି-ଟିଏମସି ମୁହାଁମୁହିଁ ! ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ମିଳିଲାନି ଅନୁମତି ।

98

କନକ ବ୍ୟୁରୋ : ଶାହଙ୍କ ରଥଯାତ୍ରାକୁ ନେଇ ମୁହାଁମୁହିଁ ବିଜେପି ଓ ତୃଣମୁଳ କଂଗ୍ରେସ । ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରଥଯାତ୍ରାକୁ ଅନୁମତି ନମିଳିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଉପରେ ବର୍ଷିଛନ୍ତି ଶାହ । ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ ନା । ଶୁକ୍ରବାର ଦିନ ହେବାକୁ ଥିବା ରଥଯାତ୍ରା ଉପରେ ପ୍ରଥମେ ପଶ୍ଚିମବଙ୍ଗ ସରକାର ଓ ଏବେ ହାଇକୋର୍ଟ ମଧ୍ୟ ରୋକ୍ ଲଗାଇଛନ୍ତି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ମମତା ସରକାର ଏପରି ପଦକ୍ଷେପ ନେଇ ଗଣତନ୍ତ୍ରର ହତ୍ୟା କରୁଛନ୍ତି ବୋଲି ଶାହ ଅଭିଯୋଗ କରିଛନ୍ତି । ଏପରିକି ପଂଚାୟତ ନିର୍ବାଚନରେ ବିଜେପିର ଭଲ ପ୍ରଦର୍ଶନ ଯୋଗୁଁ ମମତା ସରକାର ଡରି ଯାଇଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଡିସେମ୍ବର ୭, ୯ ଓ ୧୪ତାରିଖରୁ ଆରମ୍ଭ ହେବାର ଥିଲା ବିଜେପିର ରଥଯାତ୍ରା । ଏଥିପାଇଁ ପ୍ରଶାସନକୁ ଦଳ ପକ୍ଷରୁ ଅନୁମତି ମଗାଯାଇଥିଲା । କୁଚବିହାର ଠାରୁ ଆରମ୍ଭ ହେବାକୁ ଥିବା ରଥଯାତ୍ରା ପାଇଁ ଅନୁମତି ଦେଇନଥିଲେ ହାଇକୋର୍ଟ । ଏବଂ ଏହା ପୂର୍ବରୁ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ଦର୍ଶାଇ ମମତା ସରକାର ମଧ୍ୟ ଅନୁମତି ଦେଇନଥିଲେ ।

ପଶ୍ଚିମବଙ୍ଗର ୪୨ଟି ଲୋକସଭା ଦେଇ ଯାତ୍ରା କରିବାର ଥିଲା ଶାହଙ୍କ ରଥଯାତ୍ରା । ୩ଟି ରଥଯାତ୍ରା ଦ୍ୱାରା ପଶ୍ଚିମବଙ୍ଗ ମନ୍ଥନ ପାଇଁ ପ୍ରସ୍ତୁତି କରୁଥିବା ବିଜେପିକୁ ଝଟକା ଲାଗିଛି । ଏହି ରଥଯାତ୍ରାରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ଏବଂ ଶେଷ ଦିନରେ କୋଲକାତାରେ ଏକ ରାଲିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା । ରଥଯାତ୍ରା ବିଜେପି ପାଇଁ ସବୁବେଳେ ଲାଭଜନକ ସାବ୍ୟସ୍ତ ହୋଇଛି । ତ୍ରିପୁରାରେ ବି ବିଜେପିର ଏହି ପ୍ରୟୋଗ ସଫଳ ହୋଇଛି । ବିଜେପି ସଫଳତାର ଏହି କାହାଣୀକୁ ପଶ୍ଚିମବଙ୍ଗରେ ଦୋହରାଇବା ପାଇଁ ପ୍ରୟାସ କରୁଥିବା ବେଳେ ଏଥିରେ ବ୍ରେକ ଲଗାଇଛନ୍ତି ମମତା ସରକାର ।