କନକ ବ୍ୟୁରୋ : ପୁଟିନଙ୍କୁ ଝଟକା ପରେ ଝଟକା । ୟୁକ୍ରେନ ସହ ଯୁଦ୍ଧ ଭିତରେ ପୁଟିନଙ୍କୁ ଗୋଟିଏ ଦିନରେ ଲାଗିଛି ଦୁଇଟି ବଡ ଝଟକା । ଗୋଟିଏ ପଟେ ଋଷିଆର ଘରୋଇ ସୈନ୍ୟ ବଳ ୱାଗନର ଗ୍ରୁପ୍ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ବେଳେ ଅନ୍ୟପଟେ ବେଲାରୁଷରୁ ଆସିଛି ବଡ ଖବର । ମିଳିଥିବା ସୂଚନା ମୁତାବକ, ବେଲାରୁଷ ରାଷ୍ଟ୍ରପତି ନିଜ ପରିବାର ସହ ଦେଶ ଛାଡିଥିବା କୁହାଯାଉଛି । ଗତକାଲି ରାତିରେ ବେଲାରୁଷ ରାଷ୍ଟ୍ରପତିଙ୍କ ବିମାନ ଅନ୍ୟ ଦେଶ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି । ଏମିତିରେ ୟୁରୋପର ବିଭିନ୍ନ ଦେଶ ଠାରୁ ବେଲାରୁଷ ବେଶି ଦୂର ନୁହେଁ । ଗତ କିଛିଦିନ ପୂର୍ବେ ବେଲାରୁଷ ଓ ଋଷର ସମ୍ପର୍କରେ ଫାଟ ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ ଯଦି ବେଲାରୁଷ ରାଷ୍ଟ୍ରପତି ଦେଶ ଛାଡିଥାନ୍ତି ତେବେ ଏହା ଋଷ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ । କାରଣ ବେଲାରୁଷରୁ ହିଁ ୟୁକ୍ରେନକୁ ଘେରି ରଖିଛି ଋଷ ।

Advertisment

ଏସବୁ ଭିତରେ ଋଷରେ ଥିବା ଘରୋଇ ସୈନ୍ୟବଳ ୱାଗନର ଗ୍ରୁପ ଋଷ ରାଷ୍ଟ୍ରପତିଙ୍କୁ ସିଧାସଳଖ ଚେତାବନୀ ଦେଇଛି । ପୁଟିନଙ୍କ ହାତରୁ କ୍ଷମତା ଦଖଲର ଚେତାବନୀ ଦେଇଛି ୱାଗନର ଗ୍ରୁପ୍ । ଏପରିକି ୱାଗନର ଗ୍ରୁପର ସେନାବାହିନୀ ମସ୍କୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ମସ୍କୋକୁ ହାଇ-ଆଲର୍ଟରେ ରଖଯାଇଛି । ମସ୍କୋକୁ ଯୋଡୁଥିବା ବିଭିନ୍ନ ସହରର ହାଇୱେକୁ ବନ୍ଦ କରି ଦିଆଯାଇଛି । ଏହାସତ୍ତେ୍ୱ ମଧ୍ୟ ୱାଗନର ଗ୍ରୁପର ମୁଖ୍ୟ କହିଛନ୍ତି, ମସ୍କୋ ସୀମାରେ ଆମ ସେନା ପହଞ୍ଚିଛନ୍ତି । ଏପରିକି ଋଷର ଏକ ହେଲିକପ୍ଟରକୁ ମଧ୍ୟ ଧ୍ୱଂସ କରିଥିବା କହିଛି ୱାଗନର ଗ୍ରୁପ୍ । ଆଉ ଏଭଳି ଭୟଙ୍କର ବିଦ୍ରୋହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚିନ୍ତା ବଢାଇ ଦେଇଛି ।