ଚୀନକୁ ମିଳିବ ମୁହଁତୋଡ ଜବାବ: ଉତ୍ତର ଲଦ୍ଦାଖ ସୀମାରେ ହେଭି ଟ୍ୟାଙ୍କ ମୁତୟନ କଲା ଭାରତ; ଅଧିକ ପରିମାଣର ଯୁଦ୍ଧାସ୍ତ୍ର ସହ ବଢିଲା ସେନା ସଂଖ୍ୟା

ସୀମାରୁ ସୈନ୍ୟ ପ୍ରତ୍ୟାହାର ନେଇ ପଂଚମ କମାଣ୍ଡର ସ୍ତରୀୟ ଆଲୋଚନା ବିଫଳ

287

କନକ ବ୍ୟୁରୋ: ସୀମାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ପାଇଁ ରାଜି ହେଉ ନାହିଁ ଚୀନ୍ । ଏହାକୁ ଦୃଷ୍ଟିରେ ରଖି ଉତର ଲଦାଖରେ ଟ୍ୟାଙ୍କ ଓ ଭାରୀ ଅସ୍ତ୍ର ମୂତୟନ କରିଛି ଭାରତ । ଚୀନର ଯେକୌଣସି ପ୍ରକାର ଉଦ୍ୟମର କଡ଼ା ଜବାବ ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଭାରତ । ଜାତୀୟ ଖବର ଏଜେନ୍ସୀ ଏଏନଆଇ ସୂତ୍ରରୁ ଜଣାପଡିଛି ଯେ ଟି-ନାଇଂଟି ରେଜିମେଂଟ ସହ ଭାରୀ ଯୁଦ୍ଧାସ୍ତ୍ର ମୂତୟନ କରାଯାଇଛି । ଲଦାଖର ଦୌଲତ ବେଗ୍ ଓଲ୍ଡି ଏବଂ ଡେପ୍ସାଙ୍ଗ ଅଂଚଳରେ ୧୭ ହଜାରରୁ ଅଧିକ ସୈନ୍ୟ ମୂତୟନ କରିଛି ବେଜିଂ । ଚୀନ ସେନା ପ୍ରତ୍ୟେକ ଆଚରଣ ପ୍ରତି ତୀକ୍ଷ୍ଣ ନଜର ରଖିଛି ଭାରତ ।

ସ୍ଥଳ ଭାଗରେ ଓ ଆକାଶ ମାର୍ଗରୁ କଡ଼ା ନଜର ରଖାଯାଇଛି । ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ରବିବାର ଶେଷ ହୋଇଥିଲା । ହେଲେ ଏହି ବୈଠକରୁ ସମ୍ପୂର୍ଣ୍ଣ ସେନା ଅପସାରଣ ନେଇ ଆଲୋଚନାରେ କୌଣସି ସୁଫଳ ମିଳିନାହିଁ । ଯଦିଓ ପୂର୍ବ ଆଲୋଚନାରେ ଉଭୟ ଦେଶ ସୀମାରୁ ସମ୍ପୂର୍ଣ୍ଣ ରୂପେ ସେନା ଅପସାରଣ କରିବାକୁ ରାଜି ହୋଇଥିଲେ, ହେଲେ ବେଜିଂ ଏହି ପ୍ରତିଶ୍ରୁତି ରଖିବା ଆଗ୍ରହ ଦେଖାଉ ନଥିବା ପରିଲକ୍ଷିତ ହେଉଛି । ପାଗୋଙ୍ଗ ହ୍ରଦ ଅଂଚଳକୁ ନେଇ ଆଲୋଚନା ମଧ୍ୟ ଆଗକୁ ବଢ଼ିପାରୁ ନାହିଁ । ସେନାରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ କରିବାକୁ ବାରମ୍ବାର ବେଜିଂକୁ କହିସାରିଛି ଭାରତ । ହେଲେ ଏହାକୁ ମାନିବାକୁ ନାରାଜ ଚୀନ ।