ଭିକାରୀମୁକ୍ତ ହେବ ବଡଦାଣ୍ଡ । ପ୍ରଶାସନର ଉଦ୍ୟମ ପରେ ସାମ୍ନାକୁ ଆସୁଛି ହୃଦୟସ୍ପର୍ଶୀ କାହାଣୀ । ଭିକ୍ଷାବୃତିକୁ ଆପଣେଇଥିବା ବ୍ୟକ୍ତି କହୁଛନ୍ତି, ‘ମୁଁ କାହିଁକି ହେଲି ବଡଦାଣ୍ଡର ଭିକାରୀ’

263

କନକ ବ୍ୟୁରୋ: ବଡଦାଣ୍ଡକୁ ଭିକାରୀମୁକ୍ତ କରିବା ପାଇଁ ପ୍ରଶାସନର ଉଦ୍ୟମ ଆରମ୍ଭ ହୋଇଛି । ଏବେ ଜଣକ ପରେ ଜଣେ ଭିକ୍ଷାବୃତିକୁ ଆପଣେଇଥିବା ବ୍ୟକ୍ତିଙ୍କୁ ନେଇ ଆସୁଛି ହୃଦୟସ୍ପର୍ଶୀ ଖବର । ବଡଦାଣ୍ଡରେ ଏହି ଭଳି ଜଣେ ଭିକ୍ଷାରୁଣୀ ସତ୍ୟବାଦୀ ଅଂଚଳର ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ଠାବ କରାଯାଇଥିଲା । ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲାୟନ୍ସ କ୍ଲବ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି । ସୁସ୍ଥ ହେବା ପରେ ତାଙ୍କୁ ଜରାଶ୍ରମରେ ରଖାଯିବ । ଲକ୍ଷ୍ମୀ ପ୍ରିୟା ଏମିତି ସେମିତି ମହିଳା, ନୁହଁନ୍ତି ସେ ଜଣେ ବିଦେଶ ଫେରନ୍ତା ଶିକ୍ଷୟିତ୍ରୀ । ଯାହାଙ୍କ କାହାଣୀ ବେଶ ମର୍ମସ୍ପର୍ଶୀ ।

ବୟସର ଅପରାହ୍ନରେ ବି ତାଙ୍କ ମୁହଁରୁ ବାହାରୁଥିବା ଇଂରାଜୀ ସମସ୍ତଙ୍କୁ ଚକିତ କରିଛି । ସେ ଇଥିଓପିଆ, ଦିଲ୍ଲୀ, ଗୁଜୁରାଟରେ ଶିକ୍ଷକତା କରିଛନ୍ତି । ସମୟଚକ୍ରରେ ତାଙ୍କ ପାରିବାରିକ ଦୁଃଖ ତାଙ୍କ ବ୍ୟକ୍ତିଗତ ଜୀନବନକୁ ପ୍ରଭାବିତ କରିଥିଲା । ସେ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କ ଦେହାନ୍ତ ପରେ ମାନସିକ ଭାରସାମ୍ୟ ହରାଇ ଲକ୍ଷ୍ମୀପ୍ରିୟା ବଡଦାଣ୍ଡକୁ ଆସି ଭିକ୍ଷାବୃତି କରିଥିଲେ । କାଲି କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଲାୟନ୍ସକ୍ଲବର କିଛି ସଦସ୍ୟ ପହଂଚି ଲକ୍ଷ୍ମୀପ୍ରିୟାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରିଛନ୍ତି ।

ଖୋଲିବ ୮ଟି ପୁନର୍ବାସ କେନ୍ଦ୍ର

ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳକୁ ଭିକାରିମୁକ୍ତ କରାଯିବ। ସମସ୍ତ ଭିକାରିଙ୍କ ପୁନର୍ବାସ ବ୍ୟବସ୍ଥା କରାଯିବ। ମୁଖ୍ୟସ୍ରୋତରେ ସାମିଲ୍‌ ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୀଳାଦ୍ରି ନୀଳୟ’ ଯୋଜନା। ଏହି ଉପଲକ୍ଷେ  ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ‘ନୀଳାଦ୍ରି ନୀଳୟ’ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖର ସମୀକ୍ଷା କରାଯାଇଛି। ବୈଠକରେ ଉପସ୍ଥିତ ସ୍ବେଚ୍ଛାସେବୀମାନେ ଏହି ଯୋଜନାକୁ ସଫଳ କରିବା ପାଇଁ ହାତ ବଢ଼ାଇଛନ୍ତି।  ଏହି ଯୋଜନାରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଠଟି ‘ନୀଳାଦ୍ରି ନୀଳୟ’ ଭିକାରି ପୁନର୍ବାସ ଗୃହ ଖୋଲିବ। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ପାଇଁ ବ୍ୟବସ୍ଥା କରାଯିବ। ଏଥିସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ। ସେମାନଙ୍କ ପରିବାର ସହ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ। ଏଥିପାଇଁ ପୁରୀ ପୌରାଞ୍ଚଳ ତଥା ଆଖପାଖରେ ଭିକାରିମାନଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯିବ।