ରେଜଲ୍ଟ ପୂର୍ବରୁ ହାର ମାନିଲା ହାତ: ତାରା କହିଲେ ଆମ ପ୍ରତି ବିପଦ ରହିଛି, ସୁର କହିଲେ ଆମେ ରହିବୁ ଥାର୍ଡରେ…???

346

କନକ ବ୍ୟୁରୋ: ରେଜଲ୍ଟ ପୂର୍ବରୁ ହାର ମାନିଲା ହାତ । ପାଟକୁରା ଫଳାଫଳ ବାହାରିବା ପୂର୍ବରୁ ପରାଜୟ ସ୍ୱୀକାର କରିଛି କଂଗ୍ରେସ । ପାଟକୁରାରେ କଂଗ୍ରେସ ହାରୁଥିବା ନେଇ ସ୍ୱୀକାର କରିଛନ୍ତି କଂଗ୍ରେସର ୨ ହେଭିୱେଟ । ବିଧାୟକ ତାରା ପ୍ରସାଦ ବାହିନୀପତି ପାଟକୁରା ରେଜଲ୍ଟ ନେଇ ପ୍ରତିକ୍ରିୟା ଦେଲା ବେଳେ ପରାଜୟର ସଂକେତ ଦେଇଛନ୍ତି ।

ତେବେ ଫଳାଫଳ ନେଇ ତାରା କହିଛନ୍ତି; ଜିତିବା ହାରିବା ଲୋକଙ୍କ ହାତରେ ରହିଛି । ମାତ୍ର ପାଟକୁରାରେ ଆମ ପ୍ରତି ବିପଦ ରହିିଛି, ଆମେ ବିପଦରେ ଅଛୁ ବୋଲି କହି ତାରା କଂଗ୍ରେସର ପରାଜୟ କଥାକୁ ସ୍ପଷ୍ଟ କରିଛନ୍ତି । ତେବେ ବିଜେଡିର ଟଙ୍କା ଆଗରେ ଆମେ କିଛି ନୁହେଁ । ଆମେ ଟଙ୍କାଟେ ଖର୍ଚ୍ଚ କରିନୁ କି ତାଙ୍କ ଭଳି ଡେରା ପକାଇନଥିଲୁ ତେଣୁ ଆମେ ବିପଦରେ ଅଛୁ ବୋଲି ମୁଁ ଅନୁମାନ କରୁଛି ବୋଲି କହିଥିଲେ ତାରା ।

ସେପଟେ କଂଗ୍ରେସର ଅନ୍ୟ ଜଣେ ଟାଣୁଆ ନେତା ମଧ୍ୟ ପରାଜୟକୁ ଖୋଲା କଣ୍ଠରେ ସ୍ୱୀକାର କରିଛନ୍ତି । ଜଟଣୀ ବିଧାୟକ ସୁର ରାଉତରାୟ ଟଙ୍କାର ଆଳ ନେଇ ନିଜ ଗଫଲତିକୁ ଘୋଡାଇଛନ୍ତି । ତାରାଙ୍କ ପରି ସୁର ମଧ୍ୟ ‘ବିଜେଡିର ଟଙ୍କା’ ଉପାଖ୍ୟାନ କହିଛନ୍ତି । ବିଜେଡି ଯେମିତି ଟଙ୍କା ଉଡାଉ ଥିଲା ତାଙ୍କ ଆଗରେ ଆମେ ଆଗେଇବା ଅସମ୍ଭବ ତେଣୁ ପାଟକୁରାରେ ଆମେ ହାରୁଛୁ । ଯଦି ସ୍ୱାଭିମାନର ଭୋଟ ମିଳେ ତେବେ କଂଗ୍ରେସ ଜିତିବ । ନହେଲେ ବିଜେଡି ୧ ନମ୍ବର, ବିଜେପି ୨ ନମ୍ବର ଏବଂ କଂଗ୍ରେସ ୩ ନମ୍ବରରେ ରହିବ ବୋଲି ସୁର ଭବିଷ୍ୟ ଦେଖିଛନ୍ତି ।

ତେବେ ରେଜଲ୍ଟ ପୂର୍ବରୁ କଂଗ୍ରେସର ପରାଜୟ ନେଇ ୨ ନେତା ଏମିତି ସଂକେତ ଦେଇଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପାଟି ଖୋଲି ନାହାନ୍ତି । ତେବେ କାଲି ସକାଳ ହେଲେ ସ୍ପଷ୍ଟ ହେବ କାହା ଆକଳନ କଣ ହେଉଛି । ବିଜେପି, ବିଜେଡି, କଂଗ୍ରେସ ମଧ୍ୟରୁ ପାଟକୁରା କିଏ କିଣୁଛି ???