ନିର୍ବାଚନ ପୂର୍ବରୁ ଟିକେଟ ପାଇଁ ରାଲି, ଆଶାୟୀ ପ୍ରାର୍ଥୀ କରୁଛନ୍ତି ଶକ୍ତି ପ୍ରଦର୍ଶନ!

185

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଶାୟୀ ପ୍ରାର୍ଥୀ ଆରମ୍ଭ କରିଦେଇଛନ୍ତି ଶକ୍ତି ପ୍ରଦର୍ଶନ । ସାଲେପୁରରେ ପ୍ରକାଶ ବେହେରା ଅମିତ ଶାହାଙ୍କୁ ଟକ୍କର ଦେଇ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବେଗୁନିଆରେ ପ୍ରଶାନ୍ତ ଜଗଦେବଙ୍କ ସମର୍ଥକ ଆୟୋଜନ କରିଛନ୍ତି ପ୍ରତିବାଦ ସଭା । ସେହି ବେଗୁନିଆରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ, ଶାନ୍ତିଯଜ୍ଞ କରିଛନ୍ତି । ସେପଟେ ରଘୁନାଥପାଲିରେ ପଦାରେ ପଡିଛି ବିଜେଡିର ଗୋଷ୍ଠୀ କନ୍ଦଳ ।

ଗୋଟିଏ ପଟେ ଚାଲିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସଭା ଆଉ ସେପଟେ ଚାଲିଥିଲା ବିଧାୟକ ପ୍ରକାଶ ବେହେରାଙ୍କ ବିକାଶ ଯାତ୍ରା । ବିନା ଦଳୀୟ ବ୍ୟାନରରେ ବିଶାଳ ରାଲି କରିଛନ୍ତି ବିଧାୟକ । ପିର ବଜାରରେ ହଜାର ହଜାର ସମର୍ଥକଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ହେଲେ ର‌୍ୟାଲିରେ ଦେଖିବାକୁ ମିଳିନଥିଲା କଂଗ୍ରେସ ପତାକା । ତେଣୁ ଏହି କାର୍ଯ୍ୟକ୍ରମକୁ ନେଇ ଜୋର ଧରିଛି ଚର୍ଚ୍ଚା । ଟାଙ୍ଗୀ-ସାଲେପୁରର ବିକାଶ ପାଇଁ ହୋଇଥିବା ଏହି ପଦଯାତ୍ରାକୁ ନେଇ ରାଜନୈତିକ ମହଲରେ ବେଶ ଆଲୋଚନା ଚାଲିଛି । ତାଙ୍କ ପ୍ରତି ଜନତାଙ୍କ ସମର୍ଥନ କେତେ ରହିଛି ତାହା ଜାଣିବା ପାଇଁ ଏହି ଆୟୋଜନ ବୋଲି କହିଛନ୍ତି ପ୍ରକାଶ ।

ବେଗୁନିଆରେ ଗୋଟିଏ ପଟେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଶାନ୍ତିଯଜ୍ଞ ମାଧ୍ୟମରେ ଦେଖାଇଛନ୍ତି ଶକ୍ତି । ବିଧାୟକଙ୍କ ସମର୍ଥକମାନେ ସିମୋରଠାରୁ ବାଇକ ଶୋଭାଯାତ୍ରା ଓ ପ୍ରତିବାଦ ସଭାର ଆୟୋଜନ କରିଥିଲେ । ବେଗୁନିଆ ମିନି ଷ୍ଟାଡିୟମରେ କରିଥିଲେ ପ୍ରତିବାଦ ସଭା । ଆଉ ଋଷଭ ବ୍ରହ୍ମଶ୍ୱର ମହାଦେବ ମନ୍ଦିର ପରିସରରେ ୪୦ ପଂଚୟାତର ସମର୍ଥକଙ୍କୁ ନେଇ ଆୟୋଜନ କରିଥିଲେ ମହାଶାନ୍ତି ଯଜ୍ଞ ।

ସେପଟେ ରଘୁନାଥପାଲିରେ ପଦାରେ ପଡିଛି ବିଜେଡିରେ ଗୋଷ୍ଠୀ କନ୍ଦଳ । ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ସାରଦାଙ୍କ ଅନୁଗତ ତଥା ବିଜେଡିର ଟିକେଟ ଆଶାୟୀ ପ୍ରଶାନ୍ତ ସେଠୀଙ୍କ ଟାର୍ଗେଟରେ ବିଧାୟକ ସୁବ୍ରତ ତରାଇ । ନେତୃତ୍ୱ ପରିବର୍ତନ ପାଇଁ ସଂକଳ୍ପ ନେଇଛନ୍ତି ପ୍ରଶାନ୍ତ । ଜବାବରେ ସୁବ୍ରତ କହିଛନ୍ତି ଏହି ପ୍ରସଙ୍ଗରେ ଦଳୀୟ ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିବେ । ୨୦୧୯ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀ ପ୍ରାର୍ଥୀମାନେ ଜନତାଙ୍କ ମନ କିଣିବା ପାଇଁ ତିଆରି କରୁଛନ୍ତି ନୂଆ ନୂଆ ରଣନୀତି । ଶକ୍ତିପ୍ରଦର୍ଶନ କରି ଟିକେଟ ହାତେଇବା ପାଇଁ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରୟାସ ।