ଚାକିରି ପାଇଁ ରାତି ଅନିଦ୍ରା। ଫୁଟପାଥରେ ହାଡଭଙ୍ଗା ଶୀତରେ ଶୋଇ ଚାକିରିର ସ୍ୱପ୍ନ ଦେଖୁଛି ଆସନ୍ତାକାଲିର ଭବିଷ୍ୟତ

3,074

କନକ ବ୍ୟୁରୋ : ରାତି ପାହିଲେ ଇଣ୍ଟରଭ୍ୟୁ । ଚାକିରିର ସ୍ୱପ୍ନ ନେଇ ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱରକୁ ଧାଇଁ ଆସିଛନ୍ତି ଆସନ୍ତାକାଲିର ଭବିଷ୍ୟତ । ଭାରତୀୟ ସେନାରେ ନିଯୁକ୍ତି ପାଇବା ଲକ୍ଷ୍ୟରେ ଓଡିଶା ସମେତ ବିହାର, ଉତ୍ତର ପ୍ରଦେଶ,ଝାଡଖଣ୍ଡ, ଛତିଶଗଡ ଭଳି ରାଜ୍ୟରୁ ସ୍ମାର୍ଟସିଟିକୁ ଧାଇଁ ଆସିଛନ୍ତି ୨୦୦୦ରୁ ଅଧିକ ପରୀକ୍ଷାର୍ଥୀ । କାରଣ ଭୁବନେଶ୍ୱରରେ ପଡିଛି ପରୀକ୍ଷା ସେଣ୍ଟର । କାଳେ ବିଳମ୍ବ ହୋଇଯିବ ସେଥିପାଇଁ ଗୋଟିଏ ରାତି ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚି ଥିଲେ ଏହି ପରୀକ୍ଷାର୍ଥୀ । କିନ୍ତୁ ଏହି ରାତି କାଟିବା ଯେ ପରୀକ୍ଷା ଠାରୁ ବେଶ କଷ୍ଟକର ତାହା ହୁଏତ ଏମାନେ ଜାଣିନଥିଲେ । ରାତିଟିଏ କାଟିବା ପାଇଁ ଏମାନଙ୍କୁ ରାଜଧାନୀରେ ହାଡଭଙ୍ଗା ଶୀତ ସହ ସଂଘର୍ଷ କରିବାକୁ ପଡିଛି । ହୋଟେଲ କିମ୍ବା ଲଜରେ ରାତି କାଟିବା ପାଇଁ ହାତରେ ସମ୍ବଳ ନାହିଁ । ଯେଉଁଥିପାଇଁ ରାଜଧାନୀର ରାସ୍ତାରେ ହାଡଭଙ୍ଗା ଶୀତ କାକରରେ ପଡି ରହିଛନ୍ତି ଦେଶର ଆସନ୍ତାକାଲିର ଭବିଷ୍ୟତ । ଫୁଟପାଥରେ ଶୋଇ ରହିବା ସହ ଖୋଲା ଆକାଶକୁ ଚାହିଁ ଦେଖୁଛନ୍ତି ଭବିଷ୍ୟତ ଗଢି ତୋଳିବାର ସ୍ୱପ୍ନ ।

ଏ କାହାଣୀ ହେଉଛି ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୨୦୦୦ ପରୀକ୍ଷାର୍ଥୀଙ୍କର । ଯେଉଁମାନେ ସେନାରେ ବାହାରିଥିବା ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଭୁବନେଶ୍ୱର ଧାଇଁ ଆସିଛନ୍ତି । ୧୨୦ ବାଟାଲିୟନରେ ବୁଧବାର ଓ ଗୁରବାର ୨ ଦିନ ଧରି ଚାଲୁଥିବା ଏହି ଇଣ୍ଟରଭ୍ୟୁ ପର୍ଯ୍ୟାର‌୍ୟ ପାଇଁ ୨୦୦୦ ପିଲା ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଦିନ ବେଳା ତ ଯାହା ଯେମିତି ଚଳି ଯାଉଛି କିନ୍ତୁ ରାତି ହେବା ମାତ୍ରେ ଏମାନଙ୍କୁ ସଂଘର୍ଷ କରିବାକୁ ପଡୁଛି । କାରଣ ରହିବା ପାଇଁ ନା ଏମାନଙ୍କ ପାଖରେ ଛାତ ଅଛି ନା ଏମାନଙ୍କର ଦୁଃଖ ଦେଖି କାହା ପାଟିରୁ ଆହା ପଦେ ବାହାରୁଛି । ହାଡଭଙ୍ଗା ଶୀତରେ ଉଷୁମ ଚାଦରେ ଭିତରେ ପୂରା ସହର ଶୋଇ ପଡୁଥିବା ବେଳେ ଛୋଟିଆ କମ୍ବଳ ଭିତରେ ଥୁରୁଥୁରୁ ହୋଇ ଫୁଟପାଥରେ ସକାଳକୁ ଅପେକ୍ଷା କରି ରହୁଛନ୍ତି ଅଜଣା ସହରର ଅତିଥି ।

୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ସଚିବାଳୟ ମାର୍ଗ ଆଉ ଏପଟେ ରାଜଭବନ ଯାଏଁ ସବୁଆଡେ ଦେଖିବାକୁ ମିଳିଛି ସମାନ ଚିତ୍ର । ଖଣ୍ଡିଏ ଚାଦର ଆଉ ତା ଭିତରେ ଥୁରୁଥୁରୁ ହୋଇ ଚାକିରିର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀ । ଶୀତୁଆ କାକରରେ ଶରୀର ଜାଡ ମାରି ଯାଉଥିଲେ ମଧ୍ୟ ଚାକିରି ପାଇବା ଆଶାରେ ମନକୁ ଦୃଢ କରି ଫୁଟଫାଥରେ ପଡି ରହୁଛନ୍ତି । କିନ୍ତୁ ବଡକଥା ହେଉଛି, ଏଭଳି ମାନସିକ ଅବସ୍ଥା ଭିତରେ ସକାଳ ପାହିଲେ ପିଲା ପରୀକ୍ଷା ଦେବେ କେମିତି? ହୁଏତ ତାଙ୍କର ନିଦ ବି ପୂରା ହୋଇନଥିବ । ଏହି ୨୦୦୦ ପିଲାଙ୍କ ମଧ୍ୟରୁ କିଛି ପିଲାଙ୍କ ଶାରୀରିକ ପରୀକ୍ଷା ଥିବାରୁ ଖୋଲା ଆକାଶ ତଳେ ରାଜରାସ୍ତାରେ ଗୋଡ ହାତରେ ତେଲ ମାରୁଥିବାର ଦେଖିବାକୁ ମିଳିଛି ।

ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ । ପ୍ରତିବର୍ଷ ଏଭଳି ଘଟଣା ପ୍ରତି ରାଜ୍ୟରେ ଘଟୁଛି । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ନା ଏମାନଙ୍କ ପାଇଁ କେହି ସ୍ୱର ଉତ୍ତାଳନ କରିଛି ନା ଏମାନଙ୍କ ନିଯୁକ୍ତି କଥା କିଏ ଚିନ୍ତା କରୁଛି । ଏବେ ନିଯୁକ୍ତି ପ୍ରସଙ୍ଗରେ ରାଜନୀତି ହେଉଛି । ରୋଜଗାର ପ୍ରସଙ୍ଗକୁ ନେଇ ମୋଦି ସରକାର କ୍ଷମତାକୁ ଆସିଛନ୍ତି । ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରଲୋଭନ ଦେଖାଇ ପୂର୍ଣ୍ଣ କ୍ଷମତାରେ ନିରଙ୍କୁଶ ଶାସନ ମଧ୍ୟ କରୁଛନ୍ତି । ହେଲେ ସରକାରଙ୍କ ପ୍ରତିଶୃତି ସେମିତି ପ୍ରତିଶୃତିରେ ରହିଯାଇଛି । ଚାକିରିଟିଏ ପାଇଁ କେତେ କଷ୍ଟ ଉଠାଉଛି ଆଜିର ଯୁବପିଢୀ ତାହା ଭୁବନେଶ୍ୱରର କାହାଣୀରୁ ସ୍ୱଷ୍ଟ ହୋଇଯାଉଛି ।